ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦କୁ ଉଚ୍ଛେଦ ପ୍ରସଙ୍ଗ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହସ୍ତକ୍ଷେପ କରି ବିଲକୁ ଉଚ୍ଛେଦ ପାଇଁ ଚିଠିରେ ଉଲ୍ଲେଖ ।

114

କନକ ବ୍ୟୁରୋ : ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦କୁ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହସ୍ତକ୍ଷେପ କରି ବିଲ୍ କୁ ଉଚ୍ଛେଦ ପାଇଁ ଚିଠିରେ ଉଲ୍ଲେଖ ରହିଛି । ଏହାସହ ଏହି ବିଲ ଦେଶର ସାମ୍ବିଧାନିକ ବ୍ୟବସ୍ଥା ତଥା ୟୁଜିସି ନିୟମାବଳୀର ଦୃଢ ବିରୋଧାଚରଣ କରୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଲେଖିଛନ୍ତି ।

ଓଡିଶା ସରକାରଙ୍କ ଏହି ନୂଆ ନିୟମରେ ବିଶ୍ୱ ବିଦ୍ୟାଳୟମାନଙ୍କର ନୀତି ନିର୍ଦ୍ଧାରକ ସିନେଟ ବ୍ୟବସ୍ଥାକୁ ସମାପ୍ତ କରି ଏହା ସ୍ଥାନରେ ସରକାର ନିୟନ୍ତ୍ରିତ ସିଣ୍ଡିକେଟ ପ୍ରଚଳନ ପାଇଁ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ କୁଳପତି ନିଯୁକ୍ତିକୁ ମଧ୍ୟ ସରକାର ନିଜ ନିୟନ୍ତ୍ରଣରେ ରଖିବବା ପାଇଁ ବିଲରେ ରହିଛି ଯାହାକୁ ବିରୋଧ କରି ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗକୁ ନିଜ ରିମୋର୍ଟ କଣ୍ଟ୍ରୋଲରେ ରଖିବାକୁ ଚାହୁଁଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟର ଆୟ-ବ୍ୟୟକୁ ବିଧାନସଭାରେ ଉପସ୍ଥାପନା ବନ୍ଦ କରିଦିଆଯିବା ଯୋଗୁଁ ଲୋକଙ୍କ ଟଙ୍କାର ଖର୍ଚ୍ଚର ହିସାବ ରହିବ ନାହିଁ ବୋଲି ସେ ଚିଠିରେ ଲେଖିଛନ୍ତି । ତେବେ ଏହି ବିଲ କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି ୨୦୨୦ର ବିରୋଧଚାରଣ କରୁଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।