ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ ରାଜ୍ୟସଭାରେ କିଏ ହେବେ ବିଜେପି ସଂସଦୀୟ ଦଳ ନେତା : ଚର୍ଚ୍ଚାର ଆଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ

284

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଉଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ହୋଇପାନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାମନ୍ତ୍ରୀଙ୍କ ନାଁ ଚର୍ଚ୍ଚାର ଆଗରେ ଥିବାବେଳେ ମୁଖତାର ଅବସ ନକଭିଙ୍କ ନାଁ ମଧ୍ୟ ଶୁଣାଯାଉଛି । ତେବେ କର୍ଣ୍ଣାଟକ ରାଜ୍ୟପାଳ ଭାବେ ଥାବର ଚନ୍ଦ ଗେହଲଟଙ୍କ ନିଯୁକ୍ତି ପରେ ଏହି ପଦବୀ ଖାଲି ରହିଛି ।

ସେହିପରି ଦଳର ସଂସଦୀୟ ବୋର୍ଡରେ ୪ଟି ସ୍ଥାନ ଖାଲି ରହିଛି । ସୁଷମା ସ୍ୱରାଜ, ଅନନ୍ତ କୁମାର ଓ ଅରୁଣ ଜେଟଲିଙ୍କ ଦେହାନ୍ତ ପରେ ମଧ୍ୟ ୩ଟି ଆସନ ଖାଲି ପଡିଛି । ତେଣୁ ଦଳର ସଂସଦୀୟ ବୋର୍ଡ ପୁନର୍ଗଠନ ଜରୁରୀ ହୋଇପଡିଛି । ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧରଣ କମିଟି ହେଉଛି ସଂସଦୀୟ କମିଟି ବା ପାର୍ଲାମେଂଟାରୀ ବୋର୍ଡ । ତେଣୁ ଦଳର ସାଂଗଠନିକ ବ୍ୟାପାରରେ ଭଲ ଦଖଲ ଥିବା ନେତାଙ୍କୁ ଏହି ପଦବୀରେ ଅଗ୍ରାଧିକାର ମିଳିପାରେ । ଆଉ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ଦଳରେ ତାଙ୍କର ପତିଆରା ବୃଦ୍ଧି ପାଉଥିବା କୁହାଯାଉଛି ।