ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ସମ୍ବଲପୁରରୁ ଧର୍ମେନ୍ଦ୍ର, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅପରାଜିତାଙ୍କ ଟିକେଟ ଫାଇନାଲ୍ ହେଇଥିବା ଚର୍ଚ୍ଚା

218

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଥମିଯିବା ପରେ କିଏ କେଉଁଠି ଲଢ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଏହାକୁ ହାୱା ଦେଇଛି ଖବର ସରବରାହ ସଂସ୍ଥା ଏଏନଆଇ । ସୂଚନା ଅନୁସାରେ ବିଜେପିରୁ ସମ୍ବଲପୁରରୁ ଲଢିପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁରୀରୁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବତ ପାତ୍ରଙ୍କୁ ମିଳିପାରେ ଟିକେଟ୍ । ଏହାସହିତ ଭୁବନେଶ୍ୱରରୁ ପୁଣିଥରେ ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିପାରେ ବିଜେପି ।

  • ସମ୍ବଲପୁର, ଭୁବନେଶ୍ୱର, ପୁରୀ ବିଜେପି ଟିକେଟ୍ ଫାଇନାଲ!
  • ପ୍ରାର୍ଥୀ ହୋଇପାରନ୍ତି ଧର୍ମେନ୍ଦ୍ର, ଅପରାଜିତା ଓ ସମ୍ବିତ ପାତ୍ର

ତେବେ ମେଣ୍ଟ ଚର୍ଚ୍ଚା ଯେତେବେଳେ ଜୋର ଧରିଥିଲା, ସେତେବେଳେ କୁହାଯାଉଥିଲା, ଭୁବନେଶ୍ୱର, ପୁରୀ ଲୋକସଭା ଆସନକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହେଉନଥିବାରୁ ମେଣ୍ଟ ଆଗକୁ ବଢ଼ି ପାରୁନାହିଁ । ତେବେ ଦଳୀୟ ସୂତ୍ରକୁ ଆଧାର କରି ଖବର ସରବରାହ ସଂସ୍ଥା ଏଏନଆଇ ଆକଳନ କରିଛି, ଭୁବନେଶ୍ୱର, ପୁରୀ ସମେତ ସମ୍ବଲପୁର ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିସାରିଛି ବିଜେପି ।

ପୂର୍ବରୁ ୪ଟି ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ସତ୍ତ୍ୱେ ଓଡିଶାର ନାଁ ଆସିନଥିଲା । ହେଲେ ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଓଡ଼ିଶାର ସମସ୍ତ ଲୋକସଭା ଓ ବିଧାନସଭା ଆସନ ପାଇଁ ଆଲୋଚନା ହୋଇଥିବା କୁହାଯାଉଛି ।

  • ଓଡ଼ିଶାର ୪ ଜଣ ବିଜେପି ସାଂସଦଙ୍କୁ ଏଥର ମିଳିନପାରେ ଟିକେଟ୍
  • ସମ୍ବଲପୁରରୁ ଧର୍ମେନ୍ଦ୍ର ଲଢ଼ିଲେ ନୀତୀଶ ଗଙ୍ଗଦେବଙ୍କ ଟିକେଟ କଟିବ
  • ମୟୂରଭଞ୍ଜରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ପ୍ରାର୍ଥୀ ନକରିପାରେ ଦଳ
  • ବିଧାନସଭାରେ ଭାଗ୍ୟ ପରୀକ୍ଷା କରିପାରନ୍ତି ବିଶ୍ୱେଶ୍ୱର ଟୁଡୁ
  • କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏଥର ନୂଆପଡ଼ାରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି
  • ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନୀଳଗିରିରୁ ବିଧାୟକ ଭାବେ ଲଢ଼ିପାରନ୍ତି

ଗତ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନରେ ସାଂସଦମାନଙ୍କୁ ବିଧାୟକ ପ୍ରାର୍ଥୀ କରି ସଫଳତା ପାଇଥିଲା ବିଜେପି । ସେହି ଫର୍ମୁଲା ଓଡ଼ିଶାରେ ଆପଣାଇପାରେ ଦଳ । କୁହାଯାଉଛି, ଏଥର ଭଦ୍ରକ, ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ପାଇଁ ନୂଆ ମୁହଁକୁ ସୁଯୋଗ ଦେଇପାରେ ଭାରତୀୟ ଜନତା ପାର୍ଟି ।