କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଷଷ୍ଠ ରୋଜଗାର ମେଳାରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ସାରା ୪୩ଟି ସ୍ଥାନରେ ଦ୍ଵାରା ଆୟୋଜିତ ହୋଇଛି ରୋଜଗାର ମେଳା । ଭିଡିଓ କନଫରନେସିଂ ଜରିଆରେ ମୋଟ ୭୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଓଡ଼ିଶାରେ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩୦୩ ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ହୋଇଛି ରୋଜଗାର ମେଳା । ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗ ଏବଂ ଗୃହ ମନ୍ତ୍ରଣାଳୟ ଇତ୍ୟାଦି ସମେତ ବିଭିନ୍ନ ବିଭାଗରେ ସରକାରୀ ସ୍ତରରେ ନିଯୁକ୍ତି ଦିଆଯାଉଛି ।
ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ହେଉଛି ଏକ ଅନନ୍ୟ ପଦକ୍ଷେପ । ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ସାର୍ଥକ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।
ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଏକ ଅନଲାଇନ୍ ମୋଡ୍ୟୁଲ୍ 'କର୍ମଯୋଗୀ ପ୍ରାରମ୍ଭ' ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାର ସୁଯୋଗ ପାଇଛନ୍ତି । ଯେଉଁଥିରେ ୪୦୦ରୁ ଅଧିକ ଇ- ଲର୍ନିଂ ପାଠ୍ୟକ୍ରମ 'ଯେକୌଣସି ସ୍ଥାନରେ ଏବଂ କୌଣସି ଉପକରଣ' ଶିକ୍ଷଣ ଫର୍ମାଟ୍ ପାଇଁ ଉପଲବ୍ଧ ହୋଇଛି ।
ଏହି ରୋଜଗାର ମେଳା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରୋଜଗାର ମେଳା ଏବେ ଏନଡିଏ-ବିଜେପି ସରକାରର ନୂଆ ପରିଚୟ ପାଲଟିଗଲାଣି । ଏବେ ଭାରତରେ ଏକ ନିର୍ଣ୍ଣାୟକ ଓ ସ୍ଥିର ସରକାର ରହିଛି । ଖୁସିର କଥା ଯେ, ବିଜେପି ଶାସିତ ସରକାରରେ ଏଭଳି ରୋଜଗାର ମେଳାର ଆୟୋଜନ କରାଯାଉଛି ।
Follow Us