ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପଶ୍ଚିମବଙ୍ଗର ପରିବର୍ତ୍ତନ ଯାତ୍ରା ହଳଦିଆ, ନନ୍ଦିଗ୍ରାମ ଓ ପୂର୍ବ ମେଦିନାପୁରରୁ ଆରମ୍ଭ ହେବ ।

160

କନକ ବ୍ୟୁରୋ: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନନ୍ଦିଗ୍ରାମ ଏବଂ ହଳଦିଆ ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅବସରରେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଆୟୋଜିତ ବିଶାଳ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଏହି ସଭାରେ ଯୋଗଦେଇ ସେ କହିଛନ୍ତି, ଭାରତ ସରକାର ଚାହୁଁଛନ୍ତି ପଶ୍ଚିମବଙ୍ଗର ପରିବର୍ତ୍ତନ ହଳଦିଆ, ନନ୍ଦିଗ୍ରାମ ଓ ପୂର୍ବ ମେଦିନାପୁରରୁ ଆରମ୍ଭ ହେଉ ।

ଶୁକ୍ରବାରର ଏହି ନାମାଙ୍କନ ସଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ମଧ୍ୟ ଉପସ୍ଥିତ ଥିଲେ । ହଳଦିଆଠାରେ ବିଜେପିର ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଓ ହଳଦିଆ ବିଧାନସଭା ନିର୍ବାଚନ ମଣ୍ଡଳିର ପ୍ରାର୍ଥିନୀ ତାପଶୀ ମଣ୍ଡଳ ପାଇଁ ଏହି ସଭା ଆୟୋଜିତ ହୋଇଥିଲା । ଏଥିରେ ଯୋଗଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ୯୧ ବର୍ଷ ପୂର୍ବେ ଆଜିର ଦିନରେ ମହାତ୍ମା ଗାନ୍ଧୀ ବ୍ରିଟିଶ ଶାସନ ଓ ତାଙ୍କ ନୀତି ବିରୋଧରେ ସାବରମତୀ ଆଶ୍ରମରୁ ଆରମ୍ଭ କରି ଦାଣ୍ଡି ପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଏହି ଐତିହାସିକ ଦିନକୁ ମନେ ପକାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ମହୋତ୍ସବର ଶୁଭାରମ୍ଭ କରିଛନ୍ତି । ଆଜି ପଶ୍ଚିମବଙ୍ଗରେ ମଧ୍ୟ ପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ଜନସାଧାରଣ ଭୟ, ଭ୍ରଷ୍ଟାଚାର, କୁଶାସନ, କଟ୍ ମନି, ଟୋଲବାଜୀ, ଗୁଣ୍ଡାଗର୍ଦୀ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ମନ ବନେଇ ସାରିଛନ୍ତି ବୋଲି ସେ କହିଥିଲେ ।

ଏଥିସହ ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କଲେ କିନ୍ତୁ ପଶ୍ଚିମବଙ୍ଗର ଜନସାଧାରଣ ଏହାର ଲାଭ ପାଇ ପାରୁ ନାହାନ୍ତି । ସେହିପରି ପିଏମ୍ କିଷାନ୍ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ଛଅ ହଜାର ଟଙ୍କା ମୋଦି ସରକାର ପ୍ରଦାନ କରୁଛନ୍ତି । କିନ୍ତୁ ମମତା ଦିଦି ଚାଷୀଙ୍କୁ ଓ ପଶ୍ଚିମବଙ୍ଗ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରୁ ବଂଚିତ ରଖିଛନ୍ତି । ପଶ୍ଚିମବଙ୍ଗର ହଳଦିଆରେ ଯୁବକମାନଙ୍କ ପାଇଁ ରୋଜଗାର ଅପାର ସମ୍ଭାବନା ଥିଲେ ମଧ୍ୟ ରୋଜଗାର ମିଳୁନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଦୀର୍ଘ ଦଶବର୍ଷ ଧରି ମମତା ବାନାର୍ଜୀ ପଶ୍ଚିମବଙ୍ଗର ଶାସନ ବ୍ୟବସ୍ଥାରେ ଥିଲେ ମଧ୍ୟ ଲୋକେ ସୁଶାସନ ଓରୋଜଗାରୁ ବଂଚିଚ ଅଛନ୍ତି । ସେଥିପାଇଁ ପଶ୍ଚିମବଙ୍ଗର ଜନସାଧାରଣ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟକରିବା ପାଇଁ ନିର୍ଣ୍ଣୟ କରିସାରିଥିବା ସେ କହିଛନ୍ତି । ପଶ୍ଚିମବଙ୍ଗ ଗସ୍ତ ଅବସରରେ ଧର୍ମେନ୍ଦ୍ର ପ୍ରଧାନ ତାମଲୁକ ଠାରେ ସ୍ୱାଧୀନତା ସଂଗ୍ରାମର ଅମର ନାୟିକା ମାତାଙ୍ଗିନୀ ହାଜ୍ରାଙ୍କ ସ୍ମୃତି ସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।