ପିପିଲିରେ ଜୋର ଧରିଲା ନିର୍ବାଚନୀ ପ୍ରଚାର । ଆଶ୍ରିତଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଶାନ୍ତି ଆସିଲେ ବିକାଶ ହେବ ।

ବିଜେଡି କହିଲା, ପ୍ରାସଙ୍ଗିକତା ବଜାୟ ରଖିବାକୁ ସଂଘର୍ଷ କରୁଛି ବିଜେପି ।

95

କନକ ବ୍ୟୁରୋ: ପ୍ରଚାରରେ କମ୍ପୁଛି ପିପିଲି ନିର୍ବାଚନମଣ୍ଡଳୀ । ଗୁରୁବାର ପ୍ରଚାର ଶେଷ ହେବାକୁ ଥିବା ବେଳେ ବିଜେଡି ଓ ବିଜେପି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିସାରିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସବକା ସାଥ୍ ସବକା ବିକାଶ, ସବକା ବିଶ୍ୱାସର ନାରା ଦେଇ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ମାଗିଛନ୍ତି ଧର୍ମେନ୍ଦ୍ର । ଆଉ ଶାନ୍ତି ପ୍ରତିଷ୍ଠା ଦ୍ୱାରା ହିଁ ବିକାଶ ସମ୍ଭବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ୟପଟେ ପିପିଲି ଦୀର୍ଘବର୍ଷ ଧରି ବିଜେଡି ହାତରେ ରହିଆସିଥିବାରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଏହି ନିର୍ବାଚନ ବୈତରଣୀ ପାରି କରିଯିବେ ବୋଲି ଆଶା ରଖିଛନ୍ତି । ଦଳ ମଧ୍ୟ ତୃଣମୂଳ ସ୍ତରରେ ଲୋକଙ୍କୁ ନିଜ ଆଡକୁ ଟାଣିବା ପାଇଁ ରଣନୀତି ବନାଇଛି । ଏଥିପାଇଁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ଭର୍ଚୁଆଲ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣକୁ ନେଇ ୫ଟି ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏବେ ଯଦି ମୁଖ୍ୟମନ୍ତ୍ରୀ ପିପିଲି ଦାୟିତ୍ୱ ନେବେ ପୂର୍ବରୁ କିଏ ନେଉଥିଲା ତାହା ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଛି ବିଜେପି । ଅନ୍ୟପକ୍ଷରେ ୫ଟି ପ୍ରଶ୍ନର ଜବାବରେ ବିଜେଡି କହିଛି, ହିଂସାକାଣ୍ଡ ଠାରୁ ଆରମ୍ଭ କରି ଟଙ୍କା ଧରାପଡିବା ଘଟଣାରେ ବିଜେପିର ସମ୍ପୃକ୍ତି ରହିଛି । କେବଳ ପ୍ରାସଙ୍ଗିକତା ବଜାୟ ରଖିବାକୁ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ କରି ଏପରି ବୟାନ ରଖୁଛନ୍ତି ।

 କଂଗ୍ରେସ ସହ କିନ୍ତୁ ଏଥର ଏକ ଅଭାବନୀୟ ଘଟଣା ଘଟିଛି । ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପିସିସି ସଭାପତି ମଧ୍ୟ କରୋନା କାରଣରୁ ଆଇସୋଲେସନରେ ଅଛନ୍ତି । ତେବେ ଦଳର ଅନ୍ୟନେତାମାନେ ପ୍ରଚାର କରିଥିଲେ ବି ଏହି ଲଢେଇରେ ସେମାନଙ୍କର  ରଣନୀତି କଣ ହେବ ତାହା ବୁଝା ପଡୁନାହିଁ ।