ପଶ୍ଚିମବଙ୍ଗର କମାରହାଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । କହିଲେ, ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି ।

130

କନକ ବ୍ୟୁରୋ: ଜୟ ଶ୍ରୀରାମ ନାରାକୁ ଶୁଣି ଚିହିଁକି ଉଠୁଥିବା ମମତା ଦିଦି ସାମ୍ପ୍ରଦାୟିକ ରାଜନୀତି କରୁଛନ୍ତି । ଜୟ ଶ୍ରୀରାମ ନାରାକୁ ଗାଳି ମାନୁଛନ୍ତି ମମତା ଦିଦି । ରବିବାର ପଶ୍ଚିମବଙ୍ଗର କମାରହାଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରି ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସକୁ ମୂଳମନ୍ତ୍ର କରିଛନ୍ତି । ଏହି ମନ୍ତ୍ରରେ ପ୍ରଧାନମନ୍ତ୍ରୀ ହିନ୍ଦୁ କିମ୍ବା ମୁସଲିମ ପାର୍ଥକ୍ୟ ନଦେଖି ପଶ୍ଚିମବଙ୍ଗବାସୀଙ୍କୁ ଆବାସ ଯୋଜନାରେ ଘର, ଉଜ୍ଜଳା ଯୋଜନାରେ ଗ୍ୟାସ, କରୋନା ମହାମାରୀ ସମୟରେ ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ୫ କେଜି ଚାଉଳ, ପରିବାର ପିଛା ଡ଼ାଲି, ଗ୍ୟାସ, ଜନଧନ ଯୋଜନାରେ ମହିଳାଙ୍କୁ ଟଙ୍କା ତଥା ଅନ୍ୟାନ୍ୟ ଆର୍ଥିକ ଏବଂ ଆନୁଷଙ୍ଗିକ ସହଯୋଗ ଦିଆଯିବାର ବ୍ୟବସ୍ଥା କରିଛନ୍ତି ।

ଅପରପକ୍ଷରେ କିନ୍ତୁ ମମତା ଦିଦି ଜୟ ଶ୍ରୀରାମ ନାରାକୁ ଗାଳି ମାନୁଛନ୍ତି । ପଶ୍ଚିମବଙ୍ଗରେ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଭଗବାନ ମନାଯାଉଥିବା ବେଳେ ମମତା ଦିଦି ଏଥିରେ ଉତକ୍ଷିପ୍ତ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ତା ସହ ଏହା କଣ ପଶ୍ଚିମବଙ୍ଗର ସଂସ୍କୃତି? ମମତା ଦିଦି ସାମ୍ପ୍ରଦାୟିକତାବାଦକୁ କାହିଁକି ନୀତି କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି ।

କେବଳ ସେତିକି ନୁହେଁ, ପଶ୍ଚିମବଙ୍ଗରେ ୧୦ ବର୍ଷର ଟିଏମସି ଶାସନରେ ଦୁର୍ନୀତି, ଲୁଟ୍, ଲାଂଚ ବୃଦ୍ଧି ପାଇଛି । ଏହି କାରଣରୁ ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ବିକାଶମୁଖୀ ସରକାର କରିବା ପାଇଁ ପଶ୍ଚିମବଙ୍ଗର ଜନତା ମନ ବନାଇସାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ମମତା ଦିଦି ହାରିବା ଭୟରେ ଭୟଭୀତ ହୋଇଯାଇଛନ୍ତି । ଆସନ୍ତା ମେ ୨ ତାରିଖରେ ତୃଣମୂଳ କଂଗ୍ରେସର ସଭାନେତ୍ରୀଙ୍କ ପରାଜୟ ସୁନିଶ୍ଚିତ । ପଶ୍ଚିମବଙ୍ଗରେ ଡବଲ ଇଞ୍ଜିନର ସରକାର କରିବା ପାଇଁ ଏଠାକାରବାସୀ ପ୍ରତିବଦ୍ଧ ଥିବା ଧର୍ମେନ୍ଦ୍ର କହିଛନ୍ତି । ସୂଚନାଯୋଗ୍ୟ, ଏହି ପ୍ରଚାର ଅବସରରେ କେନ୍ଦ୍ରମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ସହ ଦକ୍ଷିଣେଶ୍ୱରୀ ମନ୍ଦିରରେ ମା କାଳିଙ୍କୁ ଦର୍ଶନ କରିବା ସହ ନିକଟରେ ଥିବା ଦକ୍ଷିଣେଶ୍ୱର ରାମକ୍ରୀଷ୍ଣ ସଂଘ ଅଧ୍ୟାପୀଠରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ।