ମାରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି । କହିଲେ, ସାମୁଦ୍ରିକ ଅର୍ଥନୀତି ସହ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡିଶା ।

154

କନକ ବ୍ୟୁରୋ: ଏକବିଂଶ ଶତାବ୍ଦୀରେ ଓଡ଼ିଶା ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବାର ସମ୍ଭାବନା ରଖିଛି । ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ବୁଧବାର ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର ସାଧବ ପୁଅମାନେ ହିଁ ସମୁଦ୍ର ପଥ ଜରିଆରେ ବିଶ୍ୱର ବିଭିନ୍ନ ଅଂଚଳକୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ । ତେବେ ବର୍ତ୍ତମାନ ସମୟରେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତ୍ମନିର୍ଭର ଭାରତ’ର ଆହ୍ୱାନ ଦେଇଛନ୍ତି । ତେବେ ଆତ୍ମନିର୍ଭର ଭାରତ କେବଳ ଏକ ଚିନ୍ତାଧାରା ନୁହେଁ ବରଂ ଓଡ଼ିଶା ତଥା ଭାରତକୁ ପ୍ରଗତିର ପଥରେ ନେବା ପାଇଁ ସୁଚିନ୍ତିତ ଯୋଜନା ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏକବିଂଶ ଶତାବ୍ଦୀରେ ସମୁଦ୍ର ପଥ ବିଶାଳ ନେଟୱାର୍କ ହୋଇଛି । ଓଡ଼ିଶାରେ ବନ୍ଦରଭିତିକ ଅର୍ଥନୀତି କରିବା ଦିଗରେ ପାରାଦୀପ, ଧାମରା, ଗୋପାଳପୁର, ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦରକୁ ବିକଶିତ କରାଯାଉଛି । ଏହି ହିସାବରେ ଓଡିଶାରେ ଶିଳ୍ପଭିତିକ ବନ୍ଦର ଅର୍ଥନୀତି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ଥିବା ୫ଟି ବନ୍ଦରରୁ ୨୫ ପର୍ଯ୍ୟନ୍ତ ବନ୍ଦର ବଢ଼ାଯିବା ପାଇଁ ପ୍ରଚେଷ୍ଟା କରିବା ଦରକାର । ଏଥିସହିତ ମହାନଦୀରେ ନଦୀଭିତିକ ବନ୍ଦର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ପେଟ୍ରୋଲିୟମ ଭିତିଭୂମିକୁ ସୁଦୃଢ଼ କରାଯିବା ସହ ଗ୍ୟାସ ଗ୍ରିଡରେ ଅଧିକ ପୁଞ୍ଜିନିବେଶ ପାଇଁ ଯୋଜନା କରାଯାଉଛି । ଯାହାଦ୍ୱାରା ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସହ ରୋଜଗାର ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଏଥିସହିତ ଓଡିଶାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ସେ ଆର୍ସେଲର ମିତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତଲଙ୍କ ସହ କଥା ହୋଇଛନ୍ତି । ଗୋଟିଏ ପକ୍ଷରେ ଯାଜପୁର କଳିଙ୍ଗନଗରକୁ ଇସ୍ପାତର ପେଣ୍ଠସ୍ଥଳି କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ସର୍ବବୃହତ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା ହେବା ପାଇଁ ଯୋଜନା କରାଯାଉଛି । ଅପରପକ୍ଷେ ପ୍ରଧାନମନ୍ତ୍ରୀ ନିଜର ‘ପୂର୍ବୋଦୟ ମିଶନ’ରେ ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପରିଶ୍ରମ କରୁଥିବା ବେଳେ ପାରାଦୀପ ମଧ୍ୟ ଉର୍ଜା କ୍ଷେତ୍ରରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବା ପାଇଁ ଯାଉଛି ।

ଓଡିଶାର ସୁଦୀର୍ଘ ବେଳାଭୂମି ମଧ୍ୟ କେବଳ ଓଡିଶା ନୁହଁ ବରଂ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବାରେ ପେଣ୍ଠସ୍ଥଳି ହେବ । ଏହାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ଏବଂ ବ୍ୟବସାୟିକ ପ୍ରକ୍ରିୟା ଅର୍ଥନୀତିକୁ ସଶକ୍ତ କରିବ । ଏତଦବ୍ୟତୀତ ରାଜ୍ୟରେ ପାଇପଲାଇନ ଭିତିଭୂମିକୁ କାର୍ଯ୍ୟକାରୀ କରାଯିବା ସହ ଏଲଏନଜି ଧାମରା କାର୍ଯ୍ୟକାରୀ ହେବ । ରେଳ, ସଡ଼କପଥ, ଗ୍ୟାସ ଗ୍ରୀଡି, ସିଟି ଗ୍ୟାସ ନେଟୱାର୍କରେ ବହୁତ ପୁଞ୍ଜିନିବେଶ ହେବ । ଓଡିଶାର ସୁଦୀର୍ଘ ବେଳାଭୂମି ମଧ୍ୟ ରାଜ୍ୟର ବିକାଶରେ ଗେମ-ଚେଞ୍ଜର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।