ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା କେନ୍ଦ୍ର ବିଜେପି । ୟେଦିୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଧର୍ମେନ୍ଦ୍ରଙ୍କୁ ଦିଆଗଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ।

415

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦେଇଛି କେନ୍ଦ୍ର ବିଜେପି । ୟେଦିୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଏନେଇ ଧର୍ମେନ୍ଦ୍ରଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । କର୍ଣ୍ଣାଟକରେ ବିଜେପିର ବିଭିନ୍ନ ପକ୍ଷ ଓ ନେତାଙ୍କ ସହ ଆଲୋଚନା କରିବେ ଧର୍ମେନ୍ଦ୍ର । ଆଗାମୀ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ନେଇ ଯେଉଁ ମାନଙ୍କ ନାଁ ଚର୍ଚ୍ଚା ହେଉଛି, ସେମାନଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି ଧର୍ମେନ୍ଦ୍ର । ସେପଟେ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ନେତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ଏମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା, ବିଜେପି ରାଷ୍ଟ୍ରୀୟ ସମ୍ବାଦକ ସି ଟି ରବି, ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ବିଏଲ ସନ୍ତୋଷ, କର୍ଣ୍ଣାଟକ ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡେଙ୍କ ନାଁ ଅଛି । ଏହାସହ କର୍ଣ୍ଣାଟକ ଗୃହମନ୍ତ୍ରୀ ବାସଭରାଜ ବୋମାଇ ଓ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆର ଅଶୋକା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି ବିଏସ୍ ୟେଦିୟୁୁରପ୍ପା । ରାଜ୍ୟପାଳଙ୍କୁ ଭେଟି ୟେଦିୟୁରପ୍ପା ଇସ୍ତଫା ପତ୍ର ଦେଇସାରିଥିବା ବେଳେ ତାଙ୍କର ଇସ୍ତଫାକୁ ମଞ୍ଜୁର କରିଛନ୍ତି କର୍ଣ୍ଣାଟକ ରାଜ୍ୟପାଳ ଥାବରଚାନ୍ଦ ଗେହେଲଟ୍ । ସରକାରର ୨ ବର୍ଷ ପୂର୍ତ୍ତି ଦିନ ହିଁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ୟେଦିୟୁରପ୍ପା । ତେବେ ୨ ବର୍ଷ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ କର୍ଣ୍ଣାଟକବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ ୟେଦିୟୁରପ୍ପା ।

ତେବେ ଇସ୍ତଫା ଦେବା ପାଇଁ ତାଙ୍କ ଉପରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ପକ୍ଷରୁ ଚାପ ପଡ଼ୁଥିଲା ବୋଲି କୁହାଯାଉଛି । ହେଲେ ଏ ସବୁ ଭିତରେ ୟେଦିରପ୍ପାଙ୍କ ପରେ କିଏ କର୍ଣ୍ଣାଟକର ମଙ୍ଗ ଧରିବ ତାହା ଏକ ବଡ଼ ପ୍ରଶ୍ନ । କର୍ଣ୍ଣାଟକର ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ୟେଦିୟୁରପ୍ପା କର୍ଣ୍ଣାଟକ ରାଜନୀତିର ଜଣେ ପୁରୁଖା ଓ ହେଭିୱେଟ ନେତା । କର୍ଣ୍ଣାଟକରେ ବିଜେପିକୁ ଶାସନକୁ ଆଣିବାକୁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେଣୁ ୟେଦିୟୁରପ୍ପାଙ୍କ ଇସ୍ତଫା ଘୋଷଣା ପରେ ରାଜ୍ୟର ରାଜନୀତିରେ କିଛି ବଡ଼ ଧରଣର ସମୀକରଣ ପରିବର୍ତ୍ତନର ସମ୍ଭାବନାକୁ ଏଡ଼ାଯାଇନପାରେ ।