ମୋଦୀ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଓଡିଶାର ରାଜନୀତିର ଦୁଇ ନେତା । ଏବେ ପ୍ରଶ୍ନ, ଓଡ଼ିଶା ରାଜନୀତିରେ କ’ଣ ରହିବ ପ୍ରଭାବ?

271

କନକ ବ୍ୟୁରୋ: ମୋଦୀଙ୍କ ନୂଆ କ୍ୟାବିନେଟରେ ଓଡ଼ିଶା ରାଜନୀତିର ଦୁଇ ବ୍ୟକ୍ତିତ୍ୱ ଆଜି ସମ୍ଭାଳିଛନ୍ତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଅଶ୍ୱିନୀ ବୈଷ୍ଣବ, ରେଳବାଇ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ସମ୍ଭାଳିଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଦୁଇ କେନ୍ଦ୍ରମନ୍ତ୍ରୀ, ସେମାନଙ୍କ ନୂଆ ଦାୟିତ୍ୱକୁ କିପରି ଆଗକୁ ନେଉଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏପଟେ ଓଡ଼ିଶା ରାଜନୀତିରେ ସେମାନଙ୍କ ପ୍ରଭାବ କିପରି ରହିବ, ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

ଦେଶର ଜୀବନ ରେଖା କୁହାଯାଉଥିବା ଭାରତୀୟ ରେଳବାଇର ଦାୟିତ୍ୱ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ଅନ୍ୟପଟେ ଦେଶର ପ୍ରାୟ ୫୦ କୋଟି ପିଲା ଓ ଯୁବକଙ୍କ ଭବିଷ୍ୟତ ଗଢ଼ିବା ଦାୟିତ୍ୱ ପଡିଛି ନୂଆ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ । ଏହି ବିଭାଗଗୁଡିକରେ ଯେତିକି ଆହ୍ୱାନ ରହିଛି, ସେତିକି ରହିଛି ଦୁଇ ନେତାଙ୍କ ସାମର୍ଥ୍ୟ ଓ ଦକ୍ଷତା ପ୍ରମାଣ କରିବାର ସୁଯୋଗ ।

ଓଡ଼ିଶା ସାଂସଦ ଅଶ୍ୱିନୀ ବୈଷ୍ଣବ, ପ୍ରଥମ ଥର ରାଜ୍ୟସଭାକୁ ଯାଇଥିବା ବେଳେ ତାଙ୍କ ଦକ୍ଷତା ଉପରେ ଭରସା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ରେଳବାଇ ଓ ଆଇଟି ଭଳି ଦୁଇଟି ବଡ଼ ବଡ଼ ବିଭାଗ ଏବେ ଅଶ୍ୱିନୀଙ୍କ ହାତରେ । ରାଜନୀତିରେ ଅଶ୍ୱିନୀଙ୍କର ଅଧିକ ଅଭିଜ୍ଞତା ନଥିବା ବେଳେ ପ୍ରଶାସନିକ କ୍ଷେତ୍ର ଓ କର୍ପୋରେଟ୍ କ୍ଷେତ୍ରରେ ରହିଛି ଯଥେଷ୍ଟ ଅଭିଜ୍ଞତା । ୨୦୦୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରି ପ୍ରତ୍ୟକ୍ଷ ଭାବେ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ସଂପର୍କରେ ଅଭିଜ୍ଞତା ରହିଛି । ଏହିସବୁ ଅଭିଜ୍ଞତାକୁ ପାଥେୟ କରି ଅଶ୍ୱିନୀ ଆଗକୁ ବଢିବେ ।

ସେହିପରି ଇସ୍ପାତ ଓ ପେଟ୍ରୋଲିୟମ ଭଳି ଦୁଇଟି ବଡ଼ ବଡ଼ ମନ୍ତ୍ରାଳୟ ସମ୍ଭାଳିଥିଲେ ଧର୍ମେନ୍ଦ୍ର । ଏବେ ଶିକ୍ଷା ଓ ଦକ୍ଷତା ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ସେ ସମ୍ଭାଳିବେ । ତେଣୁ ଦେଶର କୋଟି କୋଟି ପିଲାଙ୍କ ଶିକ୍ଷା ଓ ନିଯୁକ୍ତି ଭଳି ଗୁରୁଦାୟିତ୍ୱ ପଡିଛି ତାଙ୍କ ଉପରେ ।

ମୋଦୀଙ୍କ ନୂଆ ଟିମରେ ଧର୍ମେନ୍ଦ୍ର କେତେ ପାଇଲେ, କେତେ ହରାଇଲେ, ତାହା ଯେତିକି ଚର୍ଚ୍ଚା ସୃଷ୍ଟି କରିଛି, ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି କିପରି ସେ କରୋନା ଭଳି ପ୍ରତିକୂଳ ପରିସ୍ଥିତିରେ ଦେଶର ଶିକ୍ଷାକୁ ଆଗକୁ ନେବେ । ପେଟ୍ରୋଲ ଦର ବୃଦ୍ଧି ତାଙ୍କୁ ଯେତିକି ଆଲୋଚନା ଭିତରକୁ ଆଣିଛି, ଉଜ୍ୱଳା ଯୋଜନା ଭଳି ଯୋଜନାର ସଫଳ ରୂପାୟନ କରି ମନ୍ତ୍ରୀ ହିସାବରେ ତାଙ୍କର ଦକ୍ଷତାକୁ ସେ ସେତିକି ପ୍ରମାଣିତ କରିଛନ୍ତି । ଏବେ ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟକୁ ସେ କିପରି ପରିଚାଳନା କରିବେ ତା’ ଉପରେ ସମସ୍ତଙ୍କ ନଜର ।  ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବଙ୍କ ଭିତରୁ ଜଣେ ହେଉଛନ୍ତି ଓଡ଼ିଆ ସାଂସଦ ଓ ଅନ୍ୟଜଣେ ହେଉଛନ୍ତି ଓଡ଼ିଶାର ସାଂସଦ । ଦୁହେଁ ମୋଦୀଙ୍କ ନୂଆ ଟିମର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । ଏବେ ବଡ଼ ପ୍ରଶ୍ନ, ଏହି ଦୁଇ ନେତାଙ୍କ କ’ଣ ରହିବ ଓଡ଼ିଶା ରାଜନୀତିରେ ପ୍ରଭାବ ।

ଓଡ଼ିଶାରେ ବିଜେପିର ଚେହେରା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଇଥାଏ । ରାଜ୍ୟ ବିଜେପି ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଛି । ଇସ୍ପାତ ଓ ପେଟ୍ରୋଲିୟମ ଭଳି ଦୁଇଟି ବଡ଼ ମନ୍ତ୍ରାଳୟ ତାଙ୍କ ଅଧୀନରେ ଥିଲା । ମୋଦୀଙ୍କ କ୍ୟାବିନେଟ୍ରେ ସେ ଏକମାତ୍ର ଓଡ଼ିଆ ନେତା ଥିଲେ । ଏବେ ରେଳବାଇ ଓ ଆଇଟି ଭଳି ବଡ଼ ବଡ଼ ମନ୍ତ୍ରାଳୟର କ୍ୟାବିନେଟ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅବଶ୍ୟ ପୂର୍ବରୁ ଓଡ଼ିଶା ରାଜନୀତିରେ ସେ କେତେ ମହତ୍ୱାକାଂକ୍ଷୀ, ଏ ସଂପର୍କରେ କେବେ ଇଙ୍ଗିତ ମିଳିନାହିଁ । ଏବେ ଅଶ୍ୱିନୀ ବୈଷ୍ଣବ କେବଳ କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କର ଭୂମିକା ତୁଲାଇବେ ନା ଓଡ଼ିଶା ରାଜନୀତିରେ ମୁଣ୍ଡ ଖେଳାଇବେ । ତାହା ଉପରେ ସମସ୍ତଙ୍କ ନଜର ରହିଛି ।