କନକ ବ୍ୟୁରୋ : ରାଜ୍ୟରେ ଆଜି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ଚଳିତ ନିର୍ବାଚନରେ ଭୋଟର ତାଲିକାରେ ନାଁ ନଥିବାରୁ ଅନେକ ଯୋଗ୍ୟ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାୟ ସବୁ ଜିଲ୍ଲାରେ ଭୋଟର ତାଲିକାରେ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ବ୍ୟାପକ ତ୍ରୁଟି ଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସମୀକ୍ଷା କରାଯାଉ ଓ ଦୋଷୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗ ଓ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଏକ ଭିଡ଼ିଓ ସେୟାର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, ନିର୍ବାଚନ ପ୍ରକ୍ରିୟାରେ ଅନେକ ସ୍ଥାନରେ ଭୋଟର୍ ତାଲିକାରେ ତ୍ରୁଟି ଏବଂ ଯୋଗ୍ୟ ମତଦାତା ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାରେ ଅସମର୍ଥ ହେବା ଖବର ଦୁଃଖ ଦାୟକ ଏବଂ ଗଣତନ୍ତ୍ର ପାଇଁ ଶୁଭ ଖବର ନୁହେଁ ଓ କିଛି ଦିନ ପୂର୍ବରୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କିଛି ବୁଥରେ ଡଙ୍ଗରିଆ ଭାଇ ଭଉଣୀ ମାନଙ୍କ ପାଖରେ ଭୋଟ ପରିଚୟ ପତ୍ର ଥାଇ ମଧ୍ୟ ନିଜ ନାଁ ଭୋଟର୍ ତାଲିକାରେ ନଥିବାରୁ ପ୍ରତିବାଦ ଓ ଆନ୍ଦୋଳନ କରିବା ସହ ନିଜ ନାଁ ତାଲିକାରେ ସାମିଲ କରିବା ପାଇଁ ପ୍ରତିବାଦ କରୁଥିବାର ଖବର ସାମ୍ନାକୁ ଆସିଥିଲା । ଯାହା ବେଶ ଦୁଃଖଦାୟକ । ଏହାସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପଡୋଶୀ ରାଜ୍ୟ ମାନଙ୍କ ସହ ଥିବା ସୀମା ବିବାଦ ଅଞ୍ଚଳର ଭାଇ-ଭଉଣୀ ମାନଙ୍କର ନାଁ ଭୋଟର ତାଲିକାରେ ନଥିବା କାରଣରୁ ସେମାନଙ୍କର ପ୍ରତିବାଦର ସ୍ବର ଦେଖିବାକୁ ମିଳୁଛି । ସ୍ଵାଧୀନତାର ୭୫ ବର୍ଷ ପରେ ଆମେ ଆମର ଭୋଟର ତାଲିକା ସଠିକ୍ ଭାବରେ ପ୍ରସ୍ତୁତ ନକରିପାରିବା ଚିନ୍ତା ଓ ପରିତାପର ବିଷୟ ।
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି I ନିର୍ବାଚନ ପ୍ରକ୍ରିୟାରେ ଅନେକ ସ୍ଥାନରେ ଭୋଟର୍ ତାଲିକାରେ ତ୍ରୁଟି ଏବଂ ଯୋଗ୍ୟ ମତଦାତା ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାରେ ଅସମର୍ଥ ହେବା ଖବର ଦୁଃଖ ଦାୟକ ଏବଂ ଗଣତନ୍ତ୍ର ପାଇଁ ଶୁଭ ଖବର ନୁହେଁ I pic.twitter.com/Mv27hNQtm0
— Dharmendra Pradhan (@dpradhanbjp) February 22, 2022
ଏହାସହ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ଖାମଖିଆଲୀ ଓ ମନମୁଖୀ କାର୍ଯ୍ୟ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକମାନେ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେଉଛନ୍ତି । ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଏବଂ ଏହାକୁ ନିର୍ଭୁଲ କରିବା ପାଇଁ ଦାୟିତ୍ବବାନ ଏବଂ ନିଷ୍ଠାପର ଭାବେ କାର୍ଯ୍ୟ କରିବା ଉଚିତ ।