ଦିଲ୍ଲୀରେ କମିଲା ଦୂରତା ? ସାଢ଼େ ୪ କୋଟି ଓଡିଆଙ୍କ ସୁଖ ପାଇଁ ହେଲା ସାକ୍ଷାତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଳିଲା ୩ କୋଟି

313

କନକ ବ୍ୟୁରୋ: ନିର୍ବାଚନ ସରିବାକୁ ଆଉ ଫଳାଫଳ ବାହାରିବାକୁ ମାସଟିଏ ବି ହେଇନି ହେଲେ ସରି ଯାଇଛି ସବୁ ଶତ୍ରୁତା । ଯୁଦ୍ଧ ମାଟିରେ ହିଁ ମିଳେଇ ଯାଇଛି ରାଜନୀତିର ସବୁ ରାଗ । ବାକଯୁଦ୍ଧରେ ପଡି଼ଛି ଯବନିକା ଆଉ ଟାଣ ଖରାରେ ମିଳେଇ ଯାଇଛି ପରସ୍ପରକୁ କରାଯାଉଥିବା ଟାର୍ଗେଟ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଯେଉଁ ଦୋଷ ଲଦାଲଦି ଚାଲିଥିଲା ଫୋନି ପବନରେ ସେସବୁ ଉଡିଯାଇଛି । ଉଭୟ କେନ୍ଦ୍ର-ରାଜ୍ୟ ମଧ୍ୟରେ ଯେଉଁ ତୁତୁ ମେଁମେଁ ଚାଲିଥିଲା ତାହା ଏବେ ମିଳେଇ ଯାଇଛି । ଆଉ ତାହାର ପ୍ରଭାବରେ ଉଭୟ କେନ୍ଦ୍ର-ରାଜ୍ୟର ହେଭିୱେଟମାନେ ପରସ୍ପରର ପାଖାପାଖି ହେଉଛନ୍ତି । ଯାହାର ଉଦାହରଣ ଆଜି ନବୀନ-ଧର୍ମେନ୍ଦ୍ରଙ୍କ ଭେଟଘାଟରୁ ବାରି ହୋଇପଡିଛି । ତେବେ ନୂଆଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଉଭୟ ଉଭୟଙ୍କୁ ଅଦିନିଆ ସାକ୍ଷାତ କରିବା ପରେ ଚର୍ଚ୍ଚା ଜୋର ଧରିଛି । ଧର୍ମେନ୍ଦ୍ର ନବୀନଙ୍କୁ ଭେଟି ଏକ ଫୁଲତୋଡା ଦେଇଥିଲେ । ଆଉ ନବୀନ ବି ତାକୁ ସାଦରେ ଗ୍ରହଣ କରିଥିଲେ । ନବୀନ-ଧର୍ମେନ୍ଦ୍ରଙ୍କ ମଧ୍ୟରେ ଫୁଲତୋଡା ଏକ ବଡ ଗୁରୁତ୍ୱ ବହନ କରିଥିଲା । ତେଣୁ ଫୁଲତୋଡାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି । ଫୋନି ପରେ ଫୁଲତୋଡା ବିଜେପି-ବିଜେଡି ମଧ୍ୟରେ ଫାଟ ଯୋଡୁଥିବା ଚର୍ଚ୍ଚା ଫୁସୁରୁ ଫାସୁରୁ ଶୁଣାଯାଉଛି । ମାତ୍ର ସେ ଚର୍ଚ୍ଚାକୁ ଫର୍ଚ୍ଚା କରି ଉଭୟେ କହିଛନ୍ତି ସାକ୍ଷାତକାର ସୌଜନ୍ୟମୂଳକ ଥିଲା । କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା ।


ତେବେ ନିର୍ବାଚନ ପୂର୍ବରୁ ଆଉ ନିର୍ବାଚନ ବେଳେ ଉଭୟ ଉଭୟଙ୍କୁ ଗାଳି ଦେଉଥିବା ହେଭିୱେଟ ନେତା ଏବେ ଫୁଲତୋଡା ଦେଇ ଦୁହେଁ ଦୁହିଁଙ୍କ ପାଖାପାଖି ହୋଇଛନ୍ତି । ସେପଟେ ରାଜ୍ୟର ସ୍ୱାର୍ଥ, ରାଜ୍ୟର ବିକାଶ ପାଇଁ ଆଉ ସାଢ଼େ ୪ କୋଟି ଓଡିଆଙ୍କ ସୁଖ ପାଇଁ ଏ ସାକ୍ଷାତ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଇସ୍ପାତ କ୍ଷେତ୍ରରେ ଆଗାମୀ ଦିନରେ ଓଡିଶାକୁ ଫୋକସକ କରାଯିବ । ଇସ୍ପାତ ପଲିସିରେ ୩୦୦ ମିଲିୟନ ମେଟ୍ରିକ ଟନ ଷ୍ଟିଲ ଉତ୍ପାଦନ ହେବା ଲକ୍ଷ୍ୟ ରଖା ଯାଇଥିବା ବେଳେ ସେଥିକୁ କେବଳ ଓଡିଶାରୁ ୧୦୦ ମିଲିୟନ ମେଟ୍ରିକ ଟନ ଷ୍ଟିଲ ଉତ୍ପାଦନ ହେବ । ଓଡିଶାର ବିକାଶ ପାଇଁ କେନ୍ଦ୍ରର ଦାୟିତ୍ୱ ଅଛି ତେଣୁ ଆଗାମୀ ଦିନରେ ଇସ୍ପାତ କ୍ଷେତ୍ରରେ ଓଡିଶାକୁ ଗୁରୁତ୍ୱ ଦିଆଯିବ ବୋଲି ନବୀନଙ୍କୁ ଭେଟିବା ପରେ ଧର୍ମେନ୍ଦ୍ର କହିଛନ୍ତି । ତେବେ ସାକ୍ଷାତ ଅବସରରେ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରା ଯାଇଛି । ଏହା ସହ ଫୋନି ପରେ ପୁନରୁଦ୍ଧାରରେ ବାକି ରହିଥିବା କାମକୁ କେନ୍ଦ୍ର କରିବ ବୋଲି ଭେଟଘାଟରୁ ସ୍ପଷ୍ଟ ହୋଇଛି ।