ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପ୍ରତାପଙ୍କ ସମୀକ୍ଷା । କହିଲେ, କେନ୍ଦ୍ର ପକ୍ଷରୁ ମିଳିବ ସମସ୍ତ ସହଯୋଗ, ଭୟଭୀତ ନ ହୋଇ ସଜାଗ ରହିବାକୁ ଦେଲେ ପରାମର୍ଶ ।

168

କନକ ବ୍ୟୁରୋ : ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା । ସମ୍ଭାବ୍ୟ ବାତ୍ୟା ୟାସକୁ କେମିତି ମୁକାବିଲା କରାଯିବ ଓ ଏଥିପାଇଁ କେମିତି ପ୍ରସ୍ତୁତି ଚାଲିଛି ସେ ବାବଦରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ଏବଂ ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଏହି ବାତ୍ୟାର ମୁକାବିଲା କରିପାରିବା ବୋଲି ଧର୍ମେନ୍ଦ୍ର କହିଛନ୍ତି । ତେବେ ଏହି ସମୟରେ ଲୋକମାନଙ୍କୁ ଭୟଭୀତ ନ ହୋଇ ସଜାଗ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ।

ସେହିଭଳି ବାତ୍ୟାର ସ୍ଥିତି ଓ ଅବସ୍ଥିତିକୁ ନେଇ ଆଲୋଚନା ହୋଇଥିବା ବେଳେ ଏନଡିଆରଏଫ ପକ୍ଷରୁ କଣ ପ୍ରସ୍ତୁତି ହୋଇଛି ସେ ବାବଦରେ ଅବଗତ କରିଛନ୍ତି ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ । ବାତ୍ୟା ସମୟରେ ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ ତଥା ବିପର୍ଯ୍ୟୟ ସୁରକ୍ଷା ବଳ ନିୟୋଜିତ କରିବାକୁ ଏନଡିଆରଏଫ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସତ୍ୟ ନାରାୟଣ ପ୍ରଧାନ ।