ଯାହା ହୋଇଛି ଭୁଲିଯିବା, ୧୯ରେ ସାଥୀ ହୋଇଯିବା! ଜାଣନ୍ତୁ କାହିଁକି ଗୋଟିଏ ମଞ୍ଚରେ ଏକାଠି ହେଲେ ଧର୍ମେନ୍ଦ୍ର-ଅରୁଣ 

873

କନକ ବ୍ୟୁରୋ :ଦିନ ଚାଲିଯାଇଛି, କିନ୍ତୁ ଚିହ୍ନ ଛାଡିଯାଇଛି ।  ନୂଆବର୍ଷରେ ସୋସିଆଲ ମିଡିଆରେ ନୂତନବର୍ଷର ଅଭିନନ୍ଦନ ପୋଷ୍ଟ ବଦଳରେ ଭାଇରାଲ ହେଉଛି ଦୁଇ ରାଜନୈତିକ ବିରୋଧୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋ । ଯେଉଁଥିରେ ଗୋଟିଏ ମଞ୍ଚରେ ଦୁଇ ରାଜନୈତିକ ବିରୋଧୀଙ୍କୁ ଏକାଠି ଦେଖିବାକୁ ମିଳିଛି । ଜଣେ ବିଜେପି ତଥା ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀମଣ୍ଡଳର ଜଣାଶୁଣା ଚେହେରା ତ ଅନ୍ୟଜଣେ ରାଜ୍ୟ ରାଜନୀତି ମୈଦାନର ହେଭିୱେଟ ଚେହେରା ।  ଆଉ ଏହି ଫଟୋକୁ ନେଇ ଏବେ ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା । କାରଣ କ୍ଷୀର ଓ ନୀରର ସର୍ମ୍ପକ ଥିବା ଏହି ଦୁଇ ନେତାଙ୍କ ଅପୂର୍ବ ମିଳନକୁ ଦେଖି ଚାହା ଖଟିରେ ମଧ୍ୟ ଜୋର ଚର୍ଚ୍ଚା ହେଉଛି । କାହିଁକି ଏକାଠି ହେଲେ ଏହି ଦୁଇ ରାଜନୈତିକ ବିରୋଧୀ ନେତା । କଣ ରହିଛି ଏହା ପଛର ରହସ୍ୟ । ୨୦୧୯ରେ ପୁଣିଥରେ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଉଭୟ ହେଉଛନ୍ତି କି ସଜବାଜ? ଏଭଳି ଅନେକ ପ୍ରଶ୍ନ ଏବେ ଖଟିରେ ହଟ୍ ଟପିକ ପାଲଟିଛି ।

ମଞ୍ଚ ଉପରେ ହସ ହସ ମୁହଁରେ ଦୁଇ ରାଜନୈତିକ ବିରୋଧୀ । ହସିବେ ନାହିଁ ବା କେମିତି କାରଣ ଉଭୟ ରାଜନୀତିରେ ବେଶ ସଫଳତା ହାସଲ କରିଛନ୍ତି । ଜଣେ ଜାତୀୟ ରାଜନୀତିରେ ମୋଷ୍ଟ ପାୱାରଫୁଲ ଓ ଅନ୍ୟଜଣଙ୍କର ରାଜ୍ୟ ରାଜନୀତିରେ ରହିଛି ଢେର କାଟତି । କିନ୍ତୁ ଏମାନଙ୍କର ଅପୂର୍ବ ମିଳନକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା । ଚର୍ଚ୍ଚା ହେବନି ବା କେମିତି? କାରଣ ନିବାର୍ଚନୀ ବର୍ଷରେ ଯେଉଁଭଳି ରାଜନୈତିକ ତାତି ରହିଛି ସେହିଭଳି ସମୟରେ ଉଭୟ ନେତାଙ୍କ ମିଳନ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇବନି ବା କେମିତି । କାରଣ ୨୦୧୯ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପୁର୍ବରୁ ଉଭୟ ବିଜେପି ଓ ବିଜେଡି ପରସ୍ପରକୁ ଟାର୍ଗେଟ କରୁଛନ୍ତି ।  ବିଜେପି ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରେସମିଟ୍ କରି ଅଡୁଆରେ ପକାଉଥିବା ବେଳେ ବିଜେଡି ମଧ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ କରୁଛି ଡାଇରେକ୍ଟ ଆଟାକ୍ । ଉଭୟ ଦଳ ମଧ୍ୟରେ ଏଭଳି ଗରମାଗରମ ମାହୋଲ ଚାଲିଥିବା ବେଳେ ଏହି ଦୁଇ ନେତାଙ୍କ ମିଳନ ଏକ ଭିନ୍ନ ବାର୍ତ୍ତା ଦେଉଛି ବୋଲି ଖଟିରେ ଚର୍ଚ୍ଚା ହେଉଛି ।

୨୦୧୯ରେ ଏକାକୀ ସରକାର ଗଢିବା ବିଜେପି ପାଇଁ  ଏତେ ସହଜ ହୋଇନପାରେ  । ଆଉ ଏଭଳି ସ୍ଥିତିରେ ଆଞ୍ଚଳିକ ଦଳ ଉପରେ ବିଜେପିର ଭାଗ୍ୟ ନିର୍ଭର କରିପାରେ । ଖାସକରି ବିଜେଡି, ଟିଏମସି, ଟିଆରଏସ ଭଳି ଆଞ୍ଚଳିକ ଦଳ ୨୦୧୯ରେ ବିଜେପି ପାଇଁ ଟ୍ରମ୍ପକାର୍ଡ ସାଜିପାରନ୍ତି ବୋଲି ଏବେଠୁ ଚର୍ଚ୍ଚା ହେଉଛି । ତେଣୁ ଏଭଳି ସ୍ଥିତିରେ ‘ଯାହା ହୋଇଛି ଭୁଲିଯିବା ୨୦୧୯ରେ ସାଥୀ ହୋଇଯିବା’ର ଆଗୁଆ କ୍ଲାଇମାକ୍ସ ଦେଖିବାକୁ ମିଳୁଛି ବୋଲି ଖଟିରେ ଚର୍ଚ୍ଚା ହେଉଛି । ବର୍ତ୍ତମାନର ରାଜନୈତିକ ପାଣିପାଗ ମଧ୍ୟ ସେହିଭଳି କିଛି ଦିଗ ଆଡକୁ ଇଙ୍ଗିତ କରୁଛି ।

କିନ୍ତୁ ଏହି ଫଟୋ ପଛର ସତ୍ୟତା ହେଉଛି ବନ୍ଧୁ ମିଳନ । ଛାତ୍ର ରାଜନୀତିରୁ ପରସ୍ପରର ବିରୋଧୀ ପାଲଟିଥିବା ଏହି ଦୁଇ ନେତାଙ୍କୁ ବନ୍ଧୁ ମିଳନରେ ଏକାଠି ଦେଖିବାକୁ ମିଳିଥିଲା । ମଞ୍ଚ ଉପରେ ହସ ହସ ମୁହଁରେ ବେଶ କିଛି ସମୟ କାଟିଥିଲେ ଉଭୟ ନେତା । ରାଜନୀତିରେ ବିରୋଧୀ ପାଲଟିଥିବା ଏହି ଦୁଇ ନେତା ଯେ ବାସ୍ତବରେ ବନ୍ଧୁ ଏକଥା ହୁଏତ ଅନେକ ଲୋକ ଜାଣିନାହାନ୍ତି । କାରଣ ଉଭୟ ଉତ୍କଳ ବିଶ୍ୱବିଦ୍ୟାଳୟର ୧୯୯୦ ମସିହା ବ୍ୟାଚର ଛାତ୍ର । ଆଉ ଏହି ବ୍ୟାଚର ବନ୍ଧୁ ମିଳନରେ ଏକାଠି ହୋଇଥିଲେ ଉଭୟ ନେତା । ଦୁଇ ସଫଳ ରାଜନେତା ବନ୍ଧୁଙ୍କୁ ଦେଖି ଅନ୍ୟ ବନ୍ଧୁମାନେ ମଧ୍ୟ ବେଶ ଖୁସି ଥିଲେ । ଆଉ ସବୁଠୁ ବଡ କଥା ହେଲା ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଉଭୟ ପ୍ରାର୍ଥୀ ହୋଇଥିଲେ । ଆଉ ଏହି ନିର୍ବାଚନରେ ଧର୍ମେନ୍ଦ୍ରଙ୍କୁ ମାତ୍ ଦେଇ ଅରୁଣ ହୋଇଥିଲେ ବାଣୀବିହାର ସଭାପତି । ସେବେଠାରୁ ଉଭୟ ପରସ୍ପରର ରାଜନୈତିକ ବିରୋଧୀ ଭାବେ ଜଣାଣୁଣା । କିନ୍ତୁ ରାଜନୀତି ପାଇଁ ଏମାନଙ୍କ ବନ୍ଧୁତାରେ ଏଯାଏଁ ଆସିନି ଫାଟ । ଆଉ ଏହି ଫଟୋ ହିଁ ସ୍ପଷ୍ଟ ଦର୍ଶାଉଛି ଯେ ରାଜନୀତି ଠାରୁ ଢେର ଉଦ୍ଧ୍ୱର୍ରେ ବନ୍ଧୁତା ।