ଦିନରେ ଧର୍ମେନ୍ଦ୍ର, ରାତିରେ ଅନୁଭବ! ହାଇଭୋଲଟେଜ ପ୍ରଚାରରେ ଦୁଲକିଲା ବିଜେପୁର, ଜାଣନ୍ତୁ କିଏ କଣ ଦେଲେ ପ୍ରତିଶୃତି

27

କନକ ବ୍ୟୁରୋ : ବିଜେପୁରରେ ପ୍ରଚାର ସରଗରମ । ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ପ୍ରଚାରବେଳେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ସାଧାରଣ ଲୋକଙ୍କ ସହ ମାଗିଛନ୍ତି ଭୋଟ ।

ସାଧାରଣ ନିର୍ବାଚନର ଫାଇନାଲ ପୂର୍ବରୁ ବିଜେପୁର ଉପନିର୍ବାଚନର ସେମିଫାଇନାଲ ଲଢେଇ । ଆଉ ଏହି ଉପନିର୍ବାଚନ ଲଢେଇରେ ବାଜି ଲାଗିଛି ରାଜେନେତାଙ୍କ ଅସ୍ମିତା ଓ ରାଜନୈତିକ ଦଳଙ୍କ ସମ୍ମାନ । ତେବେ ଏହି ଲଢେଇରେ ବାଜି ମାରିବା ପାଇଁ ବିଜେପୁର ପ୍ରଚାର ମୈଦାନରେ ସେନାପତି ଭାବେ ଓହ୍ଲାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଶୋକଙ୍କ ପାଇଁ ଭୋଟ ମାଗିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଦୀର୍ଘ ୧୮ ବର୍ଷ ଧରି ବିଜେପୁରବାସୀଙ୍କୁ ଠକିଛନ୍ତି ରାଜ୍ୟ ସରକାର । ଏପରିକି ମୌଳିକ ସୁବଧାରୁ ବଞ୍ଚିତ ହୋଇଛନ୍ତି ବିଜେପୁର ବାସୀ । କିନ୍ତୁ ଏବେ ଭୋଟର ପରିବର୍ତ୍ତନ ପାଇଁ ମନ ବଳାଇ ସାରିଲେଣି । ତେଣୁ ବିଜେପି ବିଜେପୁରରେ ଜିତିବା ସୁନିଶ୍ଚିତ । ଏଭଳି କହି ଧର୍ମେନ୍ଦ୍ର ମାଇଣ୍ଡଗେମ ଖେଳିଛନ୍ତି ।

bijepurଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିବାକୁ ବିଜେଡି ପକ୍ଷରୁ ପ୍ରଚାର ଲଢେଇକୁ ଫୁଲ ଦମରେ ଆରମ୍ଭ କରିଛି । ମୈଦାନକୁ ଓହ୍ଲାଇଛନ୍ତି ଓଲିଉଡର ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି । ଏକ ବିଶାଳ ରୋଡ ସୋ କରି ଲୋକଙ୍କୁ ରୀତା ସାହୁଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି । ଅନୁଭବଙ୍କ ପ୍ରଚାର ବିଜେଡି କର୍ମୀଙ୍କ ମନରେ ଜୋଶ ଭରି ଦେଇଛି ।

ହାଇଭୋଲଟେଜ ପ୍ରଚାରରେ ପଛୁଆ ଥିବା କଂଗ୍ରେସ କିନ୍ତୁ ଆଜି ଫୁଲ ଦମରେ ପ୍ରଚାର କରିଛି । ପ୍ରଣୟ ନିଜେ ପ୍ରଚାରର ମଙ୍ଗ ଧରି ଘରକୁ ଘର ବୁଲି ନିଜ ପାଇଁ ଭୋଟ ମାଗୁଛନ୍ତି । କୁଲତା ସଂପ୍ରଦାୟର ଏହି ନେତା ଏକ ବଡ ଜନସମର୍ଥନ ପାଇବେ ବୋଲି ଆଶା ରଖିଛନ୍ତି । ପ୍ରଚାର ସମୟରେ ବିଜେଡି-ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରଣୟ । ଦୀର୍ଘ ୧୮ ବର୍ଷ ଧରି ବିଜେପୁର ପାଇଁ ଉଭୟ ଦଳ କଣ କରିଛନ୍ତି ତାହାର ହିସାବ ଦିଅନ୍ତୁ ତା ପରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ପ୍ରଣୟ କହିଛନ୍ତି । ଏସବୁ ଭିତରେ ଆଜି ପ୍ରଚାର ପାଇଁ ଯାଇଥିବା ବିଜେପି ଗାଡିକୁ ଅଟକାଇ ଦେଇଥିଲେ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ । ଆବଶ୍ୟକୀୟ ଅନୁମତି ନଥିବାରୁ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଚାରଗାଡି ମଧ୍ୟ ଅଟକି ରହିଥିଲା ।