ଆଧାର ପାଇଁ ଅଧାରେ ରହିଗଲା ସ୍ୱପ୍ନ…ଜନ୍ମରୁ ଦିବ୍ୟାଙ୍ଗ ହେଲେ ବି ମିଳୁନି ସରକାରୀ ବୃତ୍ତି…ପାଠପଢି ଆଗକୁ ବଢିବା ପାଇଁ ଇଚ୍ଛା ଥିଲେ ବି ରେଖାଙ୍କ ବାଟ ଓଗାଳିଛି ଦାରିଦ୍ର୍ୟ

ପ୍ରଶ୍ନ ଉଠିଛି ସରକାରଙ୍କ ‘ବେଟି ପଢାଅ ବେଟି ବଂଚାଅ’ ଯୋଜନା ବାସ୍ତବରେ କାହାପାଇଁ? 

168

କନକ ବ୍ୟୁରୋ: ଆଧାର ପାଇଁ ଅଧୁରା ସରକାରୀ ସହାୟତା । ଜନ୍ମରୁ ଦିବ୍ୟାଙ୍ଗ ହୋଇବି ହାରମାନିନାହାନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଇଛାପୁର ଗାଁର ରେଖାକୁମାରୀ ସିଂ । ପାଠପଢି ଆଗକୁ ବଢିବା ପାଇଁ ଇଚ୍ଛା ଥିଲେ ବି ଦାରିଦ୍ର୍ୟ ଓଗାଳୁଛି ବାଟ । ୫ମ ଶ୍ରେଣୀରେ ପାଠ ପଢୁଥିବା ରେଖାଙ୍କୁ ଗଣଶିକ୍ଷା ବିଭାଗର ଅଣଦେଖା । ତେବେ ଏଠି ପ୍ରଶ୍ନ ଉଠିଛି ସରକାରଙ୍କ ‘ବେଟି ପଢାଅ ବେଟି ବଂଚାଅ’ ଯୋଜନା ବାସ୍ତବରେ କାହାପାଇଁ?

ଧର୍ମଶାଳା ବ୍ଲକ ଇଛାପୁର ଗାଁର ବାସିନ୍ଦା ଡିଗଲ ସିଂଙ୍କର ଏକମାତ୍ର ଝିଅ ରେଖା । ରେଖା ଏବେ ଗାଁ ସ୍କୁଲରେ ପାଠ ପଢୁଛନ୍ତି । ପିଲାଦିନରୁ ରେଖାଙ୍କର ହାତ ଦୁଇଟି ଅଧା ଖଣ୍ଡିଆ, ଗୋଟିଏ ଗୋଡ ଛୋଟ । ତଥାପି ପାଠପଢି ଆଗକୁ ବଢିବା ପାଇଁ ରେଖାଙ୍କ ମନରେ ରହିଛି ପ୍ରବଳ ଆଗ୍ରହ । ଦିବ୍ୟାଙ୍ଗ ହୋଇ ବି ନିଜ କାମ ନିଜେ କରି ଅକ୍ଷମତାକୁ ଭୁଲ ପ୍ରମାଣ କରିଛନ୍ତି । ରେଖାଙ୍କର କୁନି କୁନି ହାତର ଅକ୍ଷର ଦେଖିଲେ ଯେକେହିବି ତାଜୁବ ହୋଇଯିବ । ପାଠ ପଢି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଇଛା ଥିଲେ ବି ଗଣଶିକ୍ଷା ବିଭାଗର ଅପରିଣାମଦର୍ଶିତା ଯୋଗୁଁ ରେଖାଙ୍କୁ ଦିବ୍ୟାଙ୍ଗ ଭତାଟିଏ ମିଳିନାହିଁ କି ବାଣିଶ୍ରୀ ଯୋଜନାରେ ସାମିଲ କରାଯାଇନାହିଁ । ଫଳରେ ତାଙ୍କୁ ଶିକ୍ଷା ଗ୍ରହଣ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।

ରେଖାଙ୍କ ବାପା ଛତିଶଗଡ ଧାନବାଦ ଜିଲ୍ଳାର ବସିନ୍ଦା ହୋଇଥିବା ବେଳେ ୧୫ ବର୍ଷ ହେବ ସେ ଓଡିଶା ଆସି ଇଛାପୁର ଗାଁରେ ଏକ ଭଡା ଘର ନେଇ ରହୁଛନ୍ତି । ପିଲାଦିନୁ ରେଖା ଦିବ୍ୟାଙ୍ଗ ହୋଇଥିବା ବେଳେ ବିଭିନ୍ନ ସମୟରେ ଭିନ୍ନକ୍ଷମ ପ୍ରମାଣ ପତ୍ରଟିଏ ପାଇଁ ସେ ଧର୍ମଶାଳା ତହସିଲ ଓ ଯାଜପୁର ଜିଲ୍ଲାପାଳଙ୍କ ଅଫିସକୁ ଦୌଡିଛି । ହେଲେ ବି କେହି ତାଙ୍କ କଥା ଶୁଣିନାହାନ୍ତି । ଅନ୍ୟପକ୍ଷରେ ରେଖାଙ୍କୁ ଜିଲ୍ଳା ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବୃତି ଯୋଗାଇ ଦେବା ପାଇଁ ତଦାରଖ ହୋଇଥିଲେ ବି ତାଙ୍କର ଅଧାରକାର୍ଡ ନଥିବାରୁ ସେ ସହାୟତା ପାଇ ପାରୁ ନାହାନ୍ତି ବୋଲି କୁହନ୍ତି ସେ ପଢୁଥିବା ସ୍କୁଲର ପ୍ରଧାନ ଶିକ୍ଷକ ।

 

ଦିବ୍ୟାଙ୍ଗ ହେଲେବି ପାଠ ପଢି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସ୍ୱପ୍ନ ଦେଖୁଥିବା ରେଖାଙ୍କୁ ମାନବିକତା ଦୃଷ୍ଟିରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।