ମଶାଣୀରୁ ମାଟି ଖୋଳି ଯୁବତୀଙ୍କ ମୃତଦେହ ବାହାର କଲା ଯାଜପୁର ଧର୍ମଶାଳା ପୋଲିସ । ସତ ଲୁଚିଛି କି ମାଟି ତଳେ…!

420

କନକ ବ୍ୟୁରୋ : ମଶାଣୀରେ ଲୁଚିଛି କି ସତ? ମାଟି ଖୋଳି ଯୁବତୀଙ୍କ ମୃତଦେହ ବାହାର କଲା ଯାଜପୁର ଧର୍ମଶାଳା ପୋଲିସ । ଆରୁହ ଗାଁର ଉପସାନା ଜେନାଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ ।

ଧର୍ମଶାଳା ଥାନା ଅରୁହା ଗାଁର ସ୍ୱର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନା ଜେନାଙ୍କର ରବିବାର ଦିନ କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ଲୋକେ ସ୍ଥାନୀୟ ଏକ ଶଶ୍ମାନରେ ଶବକୁ ପୋତିଦେଇଥିଲେ । ତେବେ ଯୁବତୀ ଜଣଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ତେବେ ଏନେଇ କେହି ପୋଲିସକୁ ଖବର ଦେଇଥିବା ବେଳେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଜୋରଦାର ହୋଇଛି । ଯଦି ଉପାସନା ଆତ୍ମହତ୍ୟା କରିଥିବାର ପ୍ରମାଣ ମିଳେ ତେବେ ପରିବାର ଲୋକ କାହିଁକି ଏହାକୁ ଲୁଚାଇ ରଖିଥିଲେ ତାହାକୁ ନେଇ ତଦନ୍ତ ଆଗକୁ ବଢାଇପାରେ ପୋଲିସ ।

ଯାଜପୁର ରୋଡ଼ ଏସଡ଼ିପିଓ, ଧର୍ମଶାଳାର ଅତିରିକ୍ତ ତହସିଲଦାର, ଥାନା ଅଧିକାରୀଙ୍କ ଉପସ୍ଥିତିରେ ଜେସିବି ମେସିନ ଲଗାଇ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କର କେଉଁଭଳି ଭାବେ ମୃତ୍ୟୁ ହେଲା କାହିଁକି ପୋଲିସକୁ ନଜଣାଇ ମୃତଦେହକୁ ପୋତିଦିଆଗଲା ତାହା ଏବେ ସନ୍ଦେହ ଘେରରେ ରହିଛି । ମୃତଦେହକୁ ବାହର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘରେ ବିଧବା ମା’ ଓ ଭାଇ ରହୁଥିବା ବେଳେ ଯୁବତୀଙ୍କର କିଭଳି ମୃତ୍ୟୁ ହେଲା ତାକୁ ନେଇ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।