କନକ ବ୍ୟୁରୋ: ଚିପ୍ସ କଥା ଆଲୋଚନା ହେଲେ, ଆପେ ଆପେ ଧର୍ମଶାଳା କଥା ସାମନାକୁ ଆସିଯାଏ। ଖଣି ମାଫିଆ ମାନେ ଧର୍ମଶାଳା ଅଞ୍ଚଳରୁ ବେଆଇନ ଭାବେ କଳାପଥରକୁ ଲୁଟ୍ କରିଥାନ୍ତି। ସେହି ପଥରକୁ କ୍ରସରରେ ଭାଙ୍ଗ ପ୍ରତିଦିନ ଶହ ଶହ ଟ୍ରକ ଚିପ୍ସ ଚାଲାଣ କରିଥାନ୍ତି। କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ଆଉ ମାଲାମାଲ ହୋଇଥାନ୍ତି। ଏବେ ସେହି କଳାପାହାଡଙ୍କ କେଳେଙ୍କାରୀ ଧିରେ ଧିରେ ସାମନାକୁ ଆସିବାରେ ଲାଗିଛି।
- କଳାପଥରର କଳାପାହାଡ କିଏ?
- କାର୍ପଟଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳର କଳାପଥର ଖଣିକୁ ଯିଏ ଦେଖୁଛି ସେ ମୁଣ୍ଡରେ ହାତ ଦେଉଛି। ଦିନ ଥିଲା ପଥର ମୁଣ୍ଡିଆରେ ପରିଣତ ହୋଇଥିବା ଏହି ଅଞ୍ଚଳରେ ବିରାଟ ବିରାଟ ପାହାଡ ଥିଲା। ହେଲେ, ଖଣି ମାଫିଆଙ୍କ ଲୁଟ ପରେ ପାହାଡର ସ୍ଥିତି ଭିନ୍ନ ।
ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୧୦ ପାହାଡ ଏବେ ଉଭାନ ହୋଇଯାଇଛି । ଲୁଣିବର, ଚଡେଇଧରା, ବିଛାଖଣ୍ଡି, ରାହାଡ଼ପୁର, ଅଞ୍ଜିରା, ରାଜବାଟୀ, ମାଳଗଡ଼ା, କୁସୁନପୁର ଆଦି ଅଞ୍ଚଳର ପାହାଡକୁ ଭାଙ୍ଗି ଚୁରମାର କରିଦିଆଯାଇଛି। ତହସିଲ ଅଧିକାରୀ, ଲିଜଧାରୀ ଓ ସ୍ଥାନୀୟ ରାଜନେତାଙ୍କ ମଧୁଚନ୍ଦ୍ରିକାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଲଘୁଖଣିଜ ଲୁଟ କରାଯାଇଛି ବୋଲି କୁହାଯାଉଛି। ଅନ୍ୟପଟେ ଅଭିଯୋଗ ପରେ ଖଣି ବିଭାଗ ମଧ୍ୟ ତତ୍ପର ହୋଇଛି। ରାଜ୍ୟ ଖଣି ବିଭାଗ ପକ୍ଷରୁ ଧର୍ମଶାଳା ତହସିଲର ବିଭିନ୍ନ କଳା ପଥର ଖାଦାନରେ ଚଢାଉ କରାଯାଇଛି।
ଏବେ ପ୍ରଶ୍ନ ଉଠୁଛି, କଳାପଥରର ପୂରା କେଳେଙ୍କାରୀ ସାମନାକୁ ଆସିବ ତ? ମହାଲୁଟର ଖଳନାୟକଙ୍କ ପାଖରେ ପହଁଚିପାରିବ ତ ଖଣି ବିଭାଗ? ଖଣି ଚୋରଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ?