ଧର୍ମଗଡ଼ରେ ଗୋଳମାଳିଆ ସ୍ଥିତି ! ତିନି ଦଳର ଆଶାୟୀ ଅନେକ, ‘ଗଡ଼’ର ଦାୟିତ୍ୱ ପାଇଁ କାହାକୁ ବାଛିବେ ଦଳର ସୁପ୍ରିମୋ ।

ଧର୍ମଗଡ ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ରାଜନୀତି ସରଗରମ ।

327

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି କଳାହାଣ୍ଡି ଜିଲ୍ଲାରେ ରାଜନୀତି ସରଗରମ ସେତେ ଜୋର ହେବାରେ ଲାଗିଛି । କାରଣ ଧର୍ମଗଡ ବିଧାନସଭା ଆସନରେ ସବୁ ଦଳର ଏକାଧିକ ଆଶାୟୀ ସାମ୍ନାକୁ ଆସିଲେଣି। ଆଉ ସବୁଠାରୁ ବଡ଼ କଥା ହେଲା ଯେ ସବୁ ଦଳରେ ଏବେ ଗୋଷ୍ଠୀ କନ୍ଦଳ ଓ ବିଦ୍ରୋହର ସ୍ୱର ଉଠିବାରେ ଲାଗୁଛି ବୋଲି ଶୁଣିବାକୁ ମିଳୁଛି । ଯାହା କି ଏବେ ପ୍ରାର୍ଥୀ ନୁହେଁ, ବରଂ ଏଠାରେ ନେତା ହିଁ ନିର୍ଣ୍ଣୟର ମୁଖ୍ୟ ଆଧାର ପାଲଟିବେ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଯାହାଦ୍ୱାରା ତିନି ପ୍ରମୂଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆଶାୟୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ବାଚନୀ ବୈତରଣୀ ପାର ହେବ ।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ରାଜନୀତି ସରଗରମ । କାରଣ ଏହି ନିର୍ବାଚନ ମଣ୍ଡଳୀରେ ଧାନର ଅଭାବି ବିକ୍ରୀ ମୁଖ୍ୟ ମୁଦ୍ଦା ପାଲଟିଛି । ଏପରିକି ଧାନ ମଣ୍ଡିରେ ଚାଷୀମାନେ ଦଲାଲ ମାନଙ୍କ ଶିକାର ହେବା ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି । ସେହିଭଳି ବହୁ ଦିନରୁ ଦାବି ହୋଇ ଆସୁଥିବା ଧର୍ମଗଡ ଜିଲ୍ଲା ଗଠନ, କାଳିଆ ଯୋଜନାରୁ ବହୁ ଚାଷୀ ବାଦ ପଡିବା ଆଦି ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଲାଣି । ଯାହାକି ଶାସକ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିପାରେ । ସେପଟେ ଏହିସବୁ ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ କରି ବିଭିନ୍ନ ଦଳ ଅଙ୍କ କଷିବାକୁ ଆରମ୍ଭ କଲେଣି ।

ଯଦି ଗତ ୨୦୧୪ ନିର୍ବାଚନକୁ ଅନୁଧ୍ୟାନ କରାଯାଏ ତେବେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ୫୯ ହଜାର ୯୩୧ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରବୀନ୍ଦ୍ର ପଟ୍ଟଯୋଷୀ ୪୩ ହଜାର ୭୭୩ ଭୋଟ ପାଇଥିଲେ । ବିଧାୟକ ଭାବରେ ତୃତୀୟ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ପୁଷ୍ପେନ୍ଦ୍ର । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଛତିଶଗଡରେ ସରକାର ଥିବା ଯୋଗୁଁ ଛତିଶଗଡି କ୍ୟାଡରଙ୍କ ଗୋଟିଚାଳନାରେ ସମସ୍ତ ୮ଟି ଜିଲ୍ଲାପରିଷଦ ଆସନ ଜିତିଥିଲା ବିଜେପି । ବର୍ତମାନ ଛତିଶଗଡ଼ରେ କେଂଗ୍ରସ କ୍ଷମତାକୁ ଆସିବା ସହିତ ଧାନ କ୍ବିଣ୍ଟାଲ ପିଛା ୨୫୦୦ ଟଙ୍କା ଧାର୍ଯ୍ୟ କରି ଚାଷୀମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଛି । ଧର୍ମଗ଼଼ଡ ବିଧାନସଭା ଅଞ୍ଚଳ ପଡୋଶୀ ରାଜ୍ୟର ସୀମାନ୍ତରେ ଥିବା ଯୋଗୁଁ ଚାଷୀମାନେ ଛତିଶଗଡି ମୁହାଁ ହୋଇଥିଲେ । ତେବେ ବର୍ତମାନ କେଂଗ୍ରସର ଛତିଶଗଡି ହାୱାକୁ ଓଡ଼ିଶାରେ ବିଜେଡି ଓ ବିଜେପି କେତେଦୂର ରୋକିବାରେ ସକ୍ଷମ ହେବେ, ତାକୁ ନେଇ ବିଭିନ୍ନ ଦଳୀୟ ଶିବିରରେ ମାନସ ମନ୍ଥନ ହେଉଥିବା ଚର୍ଚ୍ଚା ହେଉଛି ।

ଧର୍ମଗଡ ବ୍ଲକ, କଲମପୁର, କୋକସରା ବ୍ଲକର ସମସ୍ତ ପଞ୍ଚାୟତ ଏବଂ ଜୟପାଟଣା ବ୍ଲକର ୪ଟି ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ମୋଟ୍ ୮ଟି ଜିଲ୍ଲାପରିଷଦ ନିର୍ବାଚନ ମଣ୍ଡଳୀ ଦ୍ୱାରା ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଆସନ୍ତା ସାଧାରଣ ନିର୍ବାଚନରେ ୨ଲକ୍ଷ ୬ ହଜାର ୮୨୧ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୫ ହଜାର ୬୪୪ ଜଣ ପୁରୁଷ, ୧ଲକ୍ଷ ୨୧ ହଜାର ୧୭୪ ଜଣ ମହିଳା ଓ ୩ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ୨୯୩ଟି ବୁଥରେ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରାଯିବ। ଚଳିତ ନିର୍ବାଚନରେ ୧୬ ହଜାର ୭୦୩ ଜଣ ନୂଆ ଭୋଟର ପ୍ରଥମ ଥର ପାଇଁ ନିଜର ଭୋଟଦାନ ଅଧିକାରକୁ ଜାହିର କରିବେ ।

ସେପଟେ ଆଗାମୀ ନିର୍ବାଚନରେ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ଗତ ନିର୍ବାଚନରେ ବିଜେପି ଛାଡି ଆସିଥିବା ଜନାର୍ଦ୍ଦନ ପଣ୍ଡା ଓ ଜିଲ୍ଲା ଉପସଭାପତି ପ୍ରଦୀପ ମୁଣ୍ଡ ପ୍ରମୁଖ ବିଜେଡି ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି । ସେହିଭଳି ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥାଇ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ରବୀନ୍ଦ୍ର ପଟ୍ଟଯୋଷୀ ଓ ଜିଲ୍ଲା ବିଜେପିର ଆଗଧାଡି ନେତା ବଦ୍ରି ନାରାୟଣ ପଟ୍ଟନାୟକ ଦଳୀୟ ଟିକେଟ ପାଇବା ପାଇଁ ଆଶାୟୀ ତାଲିକାରେ ରହିଛନ୍ତି । ଅନ୍ୟପଟେ ‘ହାତ’କୁ ବଳ ଦେବା ପାଇଁ ଦଣ୍ଡପାଟ ଅଞ୍ଚଳର କଂଗ୍ରେସ ଯୁବ ନେତା ଦିଗାମ୍ବର ଦୁରିଆ ଓ କୋକସର ଅଞ୍ଚଳର ତରୁଣ ମାଝୀଙ୍କ ସହ ପୁରୁଷୋତ୍ତମ ଗୁପ୍ତା ଟିକେଟ ଲବିରେ ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାୱା ଭରସା ଥିବାେବେଳ ‘ହାତ’କୁ ବଳ ଦେବ ଛତିଶଗଡି ହାୱା ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ସବୁଠାରୁ ବଡ଼ ସମସ୍ୟା ଯେ ସବୁ ଦଳରେ ଏବେ ଗୋଷ୍ଠୀ କନ୍ଦଳ ଚିନ୍ତା ବଢ଼ାଉଛି ।