ପରମ ଧର୍ମ ସଂସଦର ବଡ ନିଷ୍ପତି ! ୨୧ ଫେବ୍ରୁଆରୀରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ

248

କନକ ବ୍ୟୁରୋ : ପରମ ଧର୍ମ ସଂସଦର ବଡ଼ ଫଇସଲା । ଫେବ୍ରୁଆରୀ ୨୧ ତାରିଖରେ ଆରମ୍ଭ ହେବ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଡକା ଯାଇଥିବା ପରମ ଧର୍ମ ସଂସଦରେ ଏହି ନିଷ୍ପତି ନିଆଯାଇଛି । ଫେବ୍ରୁଆରୀ ୨୧ରେ ରାମ ମନ୍ଦିର ପାଇଁ ଆଧାର ଶିଳା ସ୍ଥାପନ କରାଯିବା ପାଇଁ ପ୍ରସ୍ତାବ ପାରିତ କରିଛି ପରମ ଧର୍ମ ସଂସଦ । ଏଥିପାଇଁ ସାଧୁ ସନ୍ୟାସୀମାନେ ଅଯୋଧ୍ୟା ଯାତ୍ରା କରିବେ ।

ମନ୍ଦିର ନିର୍ମାଣ କାର୍ଯ୍ୟର ଭାର ନେବେ ସାଧୁ-ସନ୍ଥ । ପ୍ରୟାଗରାଜରେ ତିନି ଦିନ ଧରି ପରମ ଧର୍ମ ସଂସଦ ଚାଲିଥିଲା, ରାମ ମନ୍ଦିର ନିର୍ମାଣ ନେଇ ଚର୍ଚ୍ଚା ହେବା ପରେ ଆଜି ପ୍ରସ୍ତାବ ଆଗତ ହୋଇଥିଲା । ପ୍ରସ୍ତାବ ଅନୁସାରେ ଫେବ୍ରୁଆରୀ ୨୧ରେ ଶିଳାନ୍ୟାସର ତିଥି ନିର୍ଦ୍ଧାରଣ କରାଯାଇଛି । ଏଥିପାଇଁ ଗୁଳି ଖାଇବାକୁ ପଡିଲେ, ସେମାନେ ପ୍ରସ୍ତୁତ ଥିବା କହିଛନ୍ତି ଧର୍ମ ସଂସଦ କର୍ମମର୍ତା ।

ଏହି ଅବସରରେ ଶଙ୍କରାଚାର୍ଯ୍ୟ ସ୍ୱରୁପାନନ୍ଦ ସରସ୍ୱତୀ କହିଛନ୍ତି ଅଯୋଧ୍ୟାରେ ମସଜିଦ୍ ନଥିଲା, ମନ୍ଦିରକୁ ହିଁ ଭଙ୍ଗା ଯାଇଥିଲା । ମୋଦୀ ସରକାରଙ୍କୁ ଟାର୍ଗେଟ କରି ଶଙ୍କରାଚାର୍ଯ୍ୟ କହିଛନ୍ତି, ରାମଙ୍କ ଜନ୍ମ ଭୂମି ଛାଡ଼ି ଅନ୍ୟ ସ୍ଥାନରେ ମନ୍ଦିର କରିବାକୁ ଷଡ଼ଯନ୍ତ୍ର କରାଯାଉଛି । ତେବେ ରାମ ମନ୍ଦିର ନିର୍ମାଣ ପାଇଁ ଜମି ନ ଦେବା ପର୍ଯ୍ୟନ୍ତ ଜେଲ ଭରୋ ଆନ୍ଦୋଳନ କରିବେ ସାଧୁସନ୍ଥ । ନନ୍ଦା, ଭଦ୍ରା,ଜୟା ଓ ପୂର୍ଣ୍ଣା ନାମକ ୪ଟି ଶିଳାର ଶିଳାନ୍ୟାସ ଅଯୋଧ୍ୟାରେ କରାଯିବ ।

ଏନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି, ବିଜେପି ଚାହୁଁଛି ରାମଜନ୍ମଭୂମିରେ ମନ୍ଦିର ନିର୍ମାଣ ହେଉ । କିନ୍ତୁ କୋର୍ଟ କାହିଁକି ଏହା ଉପରେ ରାୟ ଦେବାରେ ବିଳମ୍ବ କରୁଛନ୍ତି ତାହା ବୁଝାପଡୁନାହିଁ । ଖୁବଶୀଘ୍ର ଏହି ମାମଲାର ଶୁଣାଣି ହେବା ସହ ରାୟ ଆସିବା ଦରକାର ବୋଲି କହିଛନ୍ତି ଶାହା ।