ବିବାହର ୧୮ବର୍ଷ ପରେ ଅଲଗା ହେଲେ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ

1,422

କନକ ବ୍ୟୁରୋ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବ‌ିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି । ସୋମବାର ରାତିରେ ଏ ସଂପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ଧନୁଷ ଏହି ସୂଚନା ଦେଇଛନ୍ତି । ଧନୁଷ-ଐଶ୍ବର୍ଯ୍ୟାଙ୍କର ଯାତ୍ରା ଏବଂ ଲିଙ୍ଗା  ନାମରେ ଦୁଇ ପୁଅ ଅଛନ୍ତି ।

ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ । ଐଶ୍ବର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ‌ପ୍ରଶଂସକମାନେ ଆମର ଏହି ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ ।

ଏଥିସହ ବିବାହ ବିଚ୍ଛେଦକୁ ସାମ୍ନା କରିବା ପାଇଁ ସେମାନେ ଆବଶ୍ୟକ କରୁଥିବା ବ୍ୟକ୍ତିଗତ ଗୋପନୀୟତା ମଧ୍ୟ ପ୍ରଶଂସକମାନେ ସେମାନଙ୍କୁ ଦେବେ ବୋଲି ଧନୁଷ କହିଛନ୍ତି । ସେହିଭଳି ଐଶ୍ବର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ ।

ଉଲ୍ଲେଖଯୋଗ୍ୟ, ଧନୁଷ ପ୍ରଯୋଜକ କସ୍ତୁରି ରାଜାଙ୍କ ପୁଅ ହୋଇଥିବା ବେଳେ ଐଶ୍ବର୍ଯ୍ୟା ମେଗାଷ୍ଟାର ରଜନୀକାନ୍ତଙ୍କ ବଡ଼ଝିଅ । ଧନୁଷଙ୍କୁ ୨୧ ବର୍ଷ ଏବଂ ଐଶ୍ବର୍ଯ୍ୟାଙ୍କୁ ୨୩ ବର୍ଷ ହୋଇଥିବାବେଳେ ୨୦୦୪ରେ ସେମାନଙ୍କର ବିବାହ ହୋଇଥିଲା ।