ଆଜି ହେବ କଂସବଧ । ମଥୁରା ନଗରୀରରେ କୃଷ୍ଣ ବଳରାମ । ସ୍ୱପ୍ନରେ ଅଥୟ ହେଲେ ମଥୁରା ନରେଶ

ଆଜି ହେବ କଂସବଧ । ମଥୁରା ନଗରୀରରେ କୃଷ୍ଣ ବଳରାମ । ସ୍ୱପ୍ନରେ ଅଥୟ ହେଲେ ମଥୁରା ନରେଶ

କନକ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ବରଗଡ ଧନୁଯାତ୍ରା । ଆଜି ହେବ କଂସବଧ । ସେପଟେ ମଥୁରା ନଗରରେ ପହଂଚିଛନ୍ତି କୃଷ୍ଣ-ବଳରାମ । କୃଷ୍ଣ ବଳରାମଙ୍କୁ ପାଇ ମଥୁରାବାସୀ ବିଭୋର ହୋଇପଡିଛନ୍ତି । ଅକ୍ରୁରଙ୍କ ସହ କୃଷ୍ଣ-ବଳରାମ ମଥୁରା ଭ୍ରମଣ କରିଛନ୍ତି । ନଗର ପରିକ୍ରମାବେଳେ କାଳୀମନ୍ଦିର ନିକଟରେ କୁବୁଜାଙ୍କ ସାକ୍ଷାତ ହୋଇଛି ଦୁଇଭାଇ । ଅପରପକ୍ଷରେ ମହାରାଜ କଂସ ମଥୁରାନଗର ପରିକ୍ରମା କରିଛନ୍ତି । କୃଷ୍ଣ-ବଳରାମଙ୍କୁ ମଥୁରା ନଗରୀରେ ପୂଜା କରାଯାଉଥିବା ଜାଣି ସେ କ୍ରୋଧ୍ୱାନିତ ହୋଇଛନ୍ତି । ଦୈବବାଣୀ ଗୁଞ୍ଜରିତ ହୋଇଛି । ମନରେ ଆସିଛି ଭୟର ସଂଚାର । ବେଳେ ବେଳେ ତାଙ୍କ ମନ ଅଥୟ ହୋଇଛି । ମାତ୍ର ଉପସ୍ଥିତ ପାତ୍ରମନ୍ତ୍ରୀ ଦମ୍ଭ ଦେବାରୁ ସେ ପୁଣି ଗର୍ଜି ଉଠିଛନ୍ତି । ମନ ହାଲୁକା କରିବା ସକାଶେ ଆରମ୍ଭ ହୋଇଛି ନୃତ୍ୟ ଗୀତର ଆସର ।

ଅନ୍ୟପଟେ, ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କୃଷ୍ଣ-ବଳରାମଙ୍କ ଗୋପପୁରରୁ ବିଦାୟ ଦୃଶ୍ୟ ସବୁଠୁ ମାର୍ମିକ ଓ ହୃଦୟ ବିଦାରକ ହୋଇଥାଏ। ମହାମନ୍ତ୍ରୀ ଅକ୍ରୂର ଗୋପପୁର ପହଞ୍ଚିବା ପରେ ତାଙ୍କୁ ଦେଖି ମୁରୁକି ମୁରୁକି ହସି ଉଠିଲେ ଭକ୍ତ ବତ୍ସଳ ଶ୍ରୀକୃଷ୍ଣ। ଅକ୍ରୂର ଜାଣି ପାରିଲେ ଏଇ ତାଙ୍କର ପରମ ଆରାଧ୍ୟ ଭଗବାନ ଶ୍ରୀକୃଷ୍ଣ। ଆନନ୍ଦରେ ତାଙ୍କ ଆଖିରୁ ବୋହି ଯାଇଛି ଲୋତକର ଧାରା। ପ୍ରଭୁଙ୍କ ପାଦପଦ୍ମରେ ପଡ଼ି କାନ୍ଦି ଉଠିଥିଲେ। ରାତ୍ରୀଯାପନ ପରେ ଅକ୍ରୂର କୃଷ୍ଣ-ବଳରାମଙ୍କୁ ନେଇ ମଥୁରା ଅଭିମୁଖେ ଯାତ୍ରା କରିବାକୁ ବାହାରିବା ସମୟରେ ବାଟ ଉଗାଳିଥିଲେ ଗୋପପୁରବାସୀ। କୃଷ୍ଣ ତାଙ୍କର ପ୍ରିୟ ସଖାସଖୀ ଗୋପାଳ ଓ ଗୋପାଙ୍ଗନାଙ୍କ ଠାରୁ ବିଦାୟ ନେଇଛନ୍ତି। କୃଷ୍ଣପ୍ରେମରେ ବିଭୋର, କୃଷ୍ଣରସରେ ବିଗଳିତ ଗୋପପୁରବାସୀ କୃଷ୍ଣଙ୍କ ବିଚ୍ଛେଦ କଥା ସ୍ୱପ୍ନରେ ସୁଦ୍ଧା ଭାବି ପାରୁନାହାନ୍ତି। ତେଣୁକରି ଗୋପପୁରର ଆବାଳ ବୃଦ୍ଧ ବିନିତା କୃଷ୍ଣଙ୍କୁ ଦୃଷ୍ଟିରୁ ଅନ୍ତର କଥା ଭାବିଲା ମାତ୍ରେ କାନ୍ଦି ପକାଇଛନ୍ତି।

ମଥୁରାରେ ମହାରାଜ କଂସ ଅପରାହ୍ନରେ ନଗର ଭ୍ରମଣରେ ବାହାରିଥିଲେ। ମୃତ୍ୟୁକୁ ନେଇ ଭୀତତ୍ରସ୍ତ କଂସ ମହାରାଜ କୃଷ୍ଣ ନାମ ଶୁଣିଲେ ବିରକ୍ତି ପ୍ରକାଶ କରୁଛନ୍ତି। ତାଙ୍କର ଏହି ଭ୍ରମଣ ବେଳେ ମଥୁରାର ଆମ୍ର ବନରେ ପହଞ୍ଚି ସେଠାରେ କୃଷ୍ଣ ଭକ୍ତିରେ ନିମଗ୍ନ ଥିବା ମୁନିଋଷିଙ୍କ ଉପରେ କ୍ରୋଧାନ୍ବିତ ହୋଇ ଉଠିଥିଲେ। ମହାରାଜାଙ୍କ ଆଦେଶକ୍ରମେ ଦୈତ୍ୟମାନେ ମୁନିଋଷିଙ୍କ ଉପରେ ପ୍ରବଳ ଅତ୍ୟାଚାର କରିଥିଲେ। ଏଣେ କଂସ ସ୍ୱପ୍ନରେ କୃଷ୍ଣକୁ ଦେଖି ଚମକି ପଡ଼ିଥିଲେ। ସାରା ଦେହ ଝାଳନାଳ ହୋଇଯାଇଛି। ବାରମ୍ବାର ସେଇ ଦୈବବାଣୀ ‘ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହେବ ମୃତ୍ୟୁର କାରଣ ଏବଂ ତୋତେ ମାରୁଛି ଯିଏ ଗୋପରେ ବଢୁଛି ସିଏ.. ଗୁଂଜରିତ ହେଉଛି। ହେଲେ କୃଷ୍ଣ-ବଳରାମଙ୍କ ମଥୁରା ଆସୁଥିବା ସୂଚନା ପାଇ ଉତ୍ଫୁଲ୍ଲିତ ହୋଇ ମହାରାଜା କଂସ ଅଟ୍ଟହାସ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe