ଧାନବାଦ ବିଚାରପତି ହତ୍ୟା ମାମଲା, କୋର୍ଟଙ୍କୁ ଏମିତି ସୂଚନା ଦେଲା ସିବିଆଇ

107

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଧନବାଦ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ହତ୍ୟା ମାମଲା ଉପରୁ ପରଦା ହଟିଛି । ଏହି ଘଟଣାର ଯାଂଚ କରୁଥିବା ସିବିଆଇ ବିସ୍ତୁତ ଭାବେ ଯାଂଚ କରିବା ପରେ ଝାଡଖଣ୍ଡ ହାଇକୋର୍ଟଙ୍କୁ କହିଛନ୍ତି କି ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ଡ୍ରାଇଭର ଜାଣିଶୁଣି ଧକ୍କା ଦେଇଛି । ଏହାସହ ଯାଂଚରୁ ମିଳିଥିବା କିଛି ନୂଆ ତଥ୍ୟ ବି କୋର୍ଟରେ ଦାଖଲ କରିଛି ସିବିଆଇ । କୁହାଯାଉଛି କି ସିବିଆଇ ପ୍ରମାଣ ମଜବୁତ କରିବାକୁ ଦେଶର ଭିନ୍ନ ଭିନ୍ନ ୪ ଟି ଫରେନସିକ ଟିମ୍ କୁ ବ୍ୟବହାର କରିଥିଲା । ଧନବାଦର ୪୯ ବର୍ଷିୟ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କର ଜୁଲାଇ ୨୮ ତାରିଖ ଦିନ ମୃତ୍ୟୁ ହୋଇଥିଲା । ସେ ସକାଳେ ପ୍ରାତଃଭ୍ରମଣ କରୁଥିବା ବେଳେ ଗୋଟିଏ ଅଟୋ ତାଙ୍କୁ ପଛପଟୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ହତ୍ୟାକଣ୍ଡ ଯୋଜନାବଦ୍ଧ ଭାବେ କରାଯାଇଥିବା ଅଭିଯୋଗ ଆସିବା ପରେ ଝାଡଖଣ୍ଡ ହାଇକୋର୍ଟ ତରଫରୁ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା । ସିବିଆଇ ଏହି ମାମଲାର ଯାଂଚ ବେଳେ କ୍ରାଇମ ସିନ ରିକ୍ରିଏଟ କରିବା, ଭିଡିଓ ଫୁଟେଜକୁ ଥ୍ରୀଡିରେ ବିଶ୍ଳେଷଣ କରିବା ଓ ଫରେନସିକ ପ୍ରମାଣ ଆଧାରରେ କୋର୍ଟଙ୍କୁ କହିଛନ୍ତି କି ଅଟୋ ଚାଳକ ଜଣଙ୍କ ଜାଣିଶୁଣି ବିଚାରପତିଙ୍କୁ ଧକ୍କା ଦେଇଥିଲା ।

କହିରଖୁ କି ଜୁଲାଇ ୨୮ ତାରିଖ ଦିନ ବିଚାରପତି ଉତ୍ତମ ଆନନ୍ଦ ସକାଳ ୫ ଟାରେ ପ୍ରାତଃଭ୍ରମଣ କରୁଥିବା ବେଳେ ତାଙ୍କୁ ଏକ ଅଟୋ ଧକ୍କା ଦେଇଥିଲା । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ ନେଇଥିଲେ ବି ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାକୁ ପ୍ରଥମେ ଦୁର୍ଘଟଣା ବୋଲି କୁହାଯାଇଥିଲା । ହେଲେ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଝାଡଖଣ୍ଡ ହାଇକୋର୍ଟ ତରଫରୁ ଏକ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟଙ୍କ ଆଦେଶ ମୁତାବକ ଅଗଷ୍ଟ ୪ ତାରିଖରେ ସିବିଆଇ ଯାଂଚର ପ୍ରାଥମିକ ଚାର୍ଜସିଟ ଦାଖଲ କରିଥିଲା ।