ସିସିଟିଭି ଧରାଇଦେଲା ଝାଡଖଣ୍ଡ ବିଚାରପତିଙ୍କ ମୃତ୍ୟୁର ସତ । ମର୍ଣ୍ଣିଂ ୱାକ୍ ବେଳେ ଜଷ୍ଟିସ ଉତ୍ତମ ଆନନ୍ଦଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା ଅଟୋ ।

329

କନକ ବ୍ୟୁରୋ: ଧାନବାଦ ବିଚାରପତିଙ୍କ ମୃତ୍ୟୁରେ ନୂଆ ମୋଡ । ଦୁର୍ଘଟଣା ନୁହେଁ ବଂର ଧାନବାଦ ଆଡିସିନାଲ ଡିଷ୍ଟ୍ରିକ୍ଟ ଓ ସେସନ ଜଜ୍ ଉତ୍ତମ ଆନନ୍ଦଙ୍କର ହୋଇଥିଲା ହତ୍ୟା । ସିସିଟିଭିରେ କଏଦ ହୋଇଥିବା ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଉତ୍ତମ ଆନନ୍ଦଙ୍କୁ କିପରି ହତ୍ୟା କରାଯାଇଥିଲା ।

ବିଚାରପତି ଉତ୍ତମ ଆନନ୍ଦ ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ ଯାଉଥିଲେ । ଏହି ସମୟରେ ରାସ୍ତା ପୂରା ଶୂନ ଶାନ ଥିଲା । ତେବେ ସେହି ସମୟରେ ଅଚାନକ ତାଙ୍କର ପଛ ପଟୁ ଏକ ଅଟୋ ଆସୁଛି ଆଉ ସିଧା ଯାଇ ବିଚାରପତିଙ୍କୁ ଧକ୍କା ଦେଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଧକ୍କା ଦେବା ପରେ ଅଟୋଟି ଅଟକୁ ନାହିଁ ବରଂ ଦ୍ରୁତ ଗତିରେ ଚାଲି ଯାଉଛି । ସିସିଟିଭି ଫୁଟେଜ୍ ସାମନାକୁ ନଆସିବା ପର୍ଯ୍ୟନ୍ତ ଏହାକୁ ଏକ ଦୁର୍ଘଟଣା ବୋଲି କୁହାଯାଉଥିଲା କିନ୍ତୁ ସିସିଟିଭି ଫୁଟେଜ ଆସିବା ପରେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ସନ୍ଦେହ ବଢ଼ିବାରେ ଲାଗିଛି । ଏହି ମାମଲାରେ ଧନବାଦ ଗିରିଡିହ ପୋଲିସ ଅଟୋ ଚାଳକ ଓ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି ।

ଜଜ୍ ଉତ୍ତମ ଆନନ୍ଦ ବୁଧବାର ମର୍ଣ୍ଣିଂ ୱାକରୁ ସନ୍ଧ୍ୟା ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକ ଭୟଭୀତ ହୋଇପଡିଥିଲେ । ତାପରେ ଏନେଇ ନିକଟସ୍ଥ ଥାନାକୁ ଜଣାଇଥିଲେ । ଖବର ପାଇବା ପରେ ପୋଲିସ ଜଜଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲା । ଏହା ଭିତରେ ପାଖ ହସ୍ପିଟାଲରେ ଏକ ଅଜଣା ଶବ ପଡିଥିବା ଖବର ପାଇଥିଲା ପୋଲିସ । ମେଡିକାଲରେ ପହଁଚିବା ପରେ ବିଚାରପତିଙ୍କୁ ତାଙ୍କ ଡ୍ରାଇଭର ଚିହ୍ନଟ କରିଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ କାନମୂଳରୁ ରକ୍ତ ବୋହିଥିବା ଦେଖିବାକୁ ମିଳିଥିଲା । ତେବେ ଯେଉଁ ଅଟୋରେ ଧକ୍କା ଦିଆଯାଇଥିଲା ସେହି ଅଟୋ ଚୋରି ଅଟୋ ବୋଲି ଜଣାପଡିଛି । ଘଟଣାଟିକୁ ଏବେ ସାରା ଦେଶର ବାର ଆସୋସିଏସନ୍ ବେଶ ବ୍ୟାପକ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣ କହିଛନ୍ତି ଜଜ୍ ଉତ୍ତମ ଆନନ୍ଦଙ୍କ ହତ୍ୟା ମାମଲା ଏଣିକି ଝାଡଖଣ୍ଡ ହାଇକୋର୍ଟ ବୁଝିବେ ।

ଧାନବାଦ ବିଚାରପତି ଉତ୍ତମ ଆନନ୍ଦ ବୁଧବାର ସକାଳ ୫ଟାରେ ମର୍ଣ୍ଣିଂ ୱାକରେ ଯିବାବେଳେ ତାଙ୍କୁ ଅଟୋ ଧକ୍କା ଦେଇଥିଲା ଆଉ ସେଠାରେ ସେ ଅଚେତ ଅବସ୍ଥାରେ ଅନେକ ସମୟ ଧରି ପଡି ରହିଥିଲେ । ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା । ରାତି ପର୍ଯ୍ୟନ୍ତ ତାଙ୍କ ଶବକୁ ଚିହ୍ନଟ କରାଯାଇ ନଥିଲା । ତେବେ ଚିକିତ୍ସାରେ ଅବହେଳା ଓ ପୋଲିସର ଅବହେଳା ଯୋଗୁଁ ବିଚାରପତି ଉତ୍ତମ ଆନନ୍ଦଙ୍କର ମୃତ୍ୟୁ ମଧ୍ୟ ହୋଇଥିବା କୁହାଯାଉଛି ।