ଧାମନଗରରେ କିଏ ଉଡାଇବ ବିଜୟ ଧ୍ୱଜା? ବିଜେଡିରେ ସବୁକିଛି ନାହିଁ ଠିକଠାକ୍, କଂଗ୍ରେସ ପାଇଁ ପ୍ରାର୍ଥୀ ଅଡୁଆ? ବିିଜେପି ପାଇଁ ସହଜ ନୁହେଁ ବିଜୟ । 

506

କନକ ବ୍ୟୁରୋ : ଧାମନଗରରେ ହେବ ଧୂଆଁଧାର ଲଢେଇ । ଭଦ୍ରକ ଜିଲ୍ଲାର ଏକମାତ୍ର ସଂରକ୍ଷିତ ଆସନ ଧାମନଗର ହୋଇଥିବା ବେଳେ ଏଠାରେ ଗତ ଦୁଇଟି ନିର୍ବାଚନରେ ବାଜି ମାରୁଛି ବିଜେଡି । ଏହି ଆସନରେ ବିଜେଡି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଥିବା ବେଳେ ଏଥିରେ ବଡ ବାଧକ ସାଜି ଛିଡା ହୋଇଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ୨୦୧୯ରେ ଏଠାରେ ତିନି ଦଳ ମଧ୍ୟରେ ଜମାଣିଆ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଧାମନଗର ବାସୀ ସବୁ ଦଳର ପ୍ରାର୍ଥୀଙ୍କୁ ବିଧାୟକ ଭାବେ ବିଧାନସଭା ପଠାଇଥିବାରୁ ଚଳିତଥର ଫଳାଫଳ କଣ ହେବ ତାହା କହିବା ଏବେଠୁ ମୁସ୍କିଲ । ଧାମନଗର ଭୋଟରଙ୍କ ମୁଡ ପରଖିବା ଏତେ ସହଜ ହୋଇନଥିବା ବେଳେ ଚଳିତଥର ଶଙ୍ଖ ବାଜିବ ନା ହାତ ଉଠିବ ନା ପଦ୍ମ ଫୁଟିବ ତାହା ଏବେଠୁ ଅନୁମାନ ଲଗାଇବା କଷ୍ଟକର ହୋଇପଡିଛି ।

ପୂର୍ବରୁ ଏହା ସାଧାରଣବର୍ଗ ଆସନ ଥିବା ବେଳେ ୨୦୦୯ରେ ଏହା ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ଆଉ ଏହାସହ ୨୦୦୯ ପରଠାରୁ ଏହି ଆସନକୁ କବଜାରେ ରଖି ଆସିଛି ବିଜେଡି ।  ସରଂକ୍ଷିତ ହେବା ପରେ ଏଠାରୁ ବିଜେଡି ନେତା ରାଜୁ ଦାସ ପ୍ରଥମ କରି ବିଧାୟକ ହୋଇଥିଲେ। ୨୦୧୪ ନିର୍ବାଚନରେ ବାସୁଦେବପୁରର ବିଜେଡି ନେତା ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳ ପ୍ରାର୍ଥୀ କରିଥିଲା। ମୁକ୍ତି ପ୍ରାର୍ଥୀ ହୋଇ ବିଜେପିର ବିଷ୍ଣୁ ସେଠୀଙ୍କୁ ପରାଜିତ କରିଥିଲେ।

ସବୁଠୁ ବଡ କଥା ହେଉଛି, ଏହି ଆସନଟି ବିଜେଡି ଦଖଲରେ ଥିଲେ ମଧ୍ୟ ଏଠାରେ ଦଳ ମଧ୍ୟରେ ସବୁକିଛି ଠିକଠାକ ନାହିଁ । ବିଧାୟକ ମୁକ୍ତିକାନ୍ତ ଓ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କ ମଧ୍ୟରେ ମତଭେଦ ଚର୍ଚ୍ଚାରେ ରହିଛି।  ଯାହାର ଝଲକ ଗତ ପଞ୍ଚାୟତ ନିର୍ବାଚନ ସମୟରେ ଦେଖିବାକୁ ମିଳିଥିଲା । ଅଶୋକଙ୍କୁ ଦଳରୁ ନିଲମ୍ବନ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ତେବେ ଏହି ମଉକାରେ ବିଜେପି ସହ ହାତମିଳାଇ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିଲେ ଅଶୋକ ।

ଅଶୋକଙ୍କୁ ନିଲମ୍ବନ କରିବା ପରେ ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ । ଧାମନଗର ଅଧିନରେ ଆସୁଥିବା ୪ଟି ଯାକ ଜିଲ୍ଲା ପରିଷଦ ଜୋନ୍ ବିଜେଡି ହାତରୁ ଖସିଯାଇଥିଲା। ବିଜେପି ଏହି ୪ଟି ଜୋନର ଜିଲ୍ଲା ପରିଷଦ ଦଖଲ କରିଥିଲା। ପରେ ବିଜେଡି ଦଳର ହାଇକମାଣ୍ଡ ଅଶୋକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିଲେ।

ଏବେ ବି ମୁକ୍ତି – ଅଶୋକ ବିବାଦ ଚରମ ସୀମାରେ ରହିଛି। ଏଇ ପରିପ୍ରେକ୍ଷୀରେ ଦଳ ଆଗାମୀ ଦିନରେ କାହାକୁ ବିଜେଡିର ଦଳୀୟ ପ୍ରାର୍ଥୀ କରିବ ତାହାକୁ ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି। ଅଶୋକଙ୍କୁ ଗୁରୁତ୍ବ ଦେଇ ତାଙ୍କୁ ସୁହାଇଲା ଭଳି ନୂତନ ପ୍ରାର୍ଥୀ ଦେବ ନା ମୁକ୍ତି ଆଉ ଅଶୋକଙ୍କ ଭିତରେ ଆପୋସ ମିଳାମିଶା କରି ମୁକ୍ତିଙ୍କୁ ପୁଣି ଧାମନଗରରେ ବିଜେଡି ପ୍ରାର୍ଥୀ କରାଯିବ, ତାହା ଏବେ ବି ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ବିଧାୟକ ମୁକ୍ତି ମଣ୍ଡଳଙ୍କ ନାମ ଲୋକସଭା ପ୍ରାର୍ଥୀ ପାଇଁ ଚର୍ଚ୍ଚା ହେଉଥିବା ବେଳେ ବିଜେଡିର ଏଇ ଆସନରୁ ପୂର୍ବତନ ବିଧାୟକ ରାଜୁ ଦାସ ଓ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି।

ଅନ୍ୟପଟେ ବିଜେପିରୁ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ। ତାଙ୍କ ସପକ୍ଷରେ ଦଳର ମଧ୍ୟ ମତ ରହିଛି। ଏପରିକି ପୂର୍ବରୁ ୨୦୦୪ ମସିହାରେ ଏହି ଆସନରେ ମନମୋହନ ସାମଲ ଗେରୁଆ ବାନା ଉଡାଇ ସାରିଥିବା ବେଳେ ଦଳ ପୁଣିଥରେ ଏହାର ପୁନାରାବୃତ୍ତି କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଖାସକରି ବିଜେଡିର ଅନ୍ତଃକନ୍ଦଳ ଓ ବିଧାୟକ ବିରୋଧୀ ଭୋଟ ହାତେଇବା ପାଇଁ ଦଳ ଏବେ ତୃଣମୂଳସ୍ତରରେ ଅଙ୍କ କଷୁଛି ।

ଅନ୍ୟପଟେ କଂଗ୍ରେସରେ ମଧ୍ୟ ଏକାଧିକ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି । ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ହୃଦାନନ୍ଦ ସେଠୀ ଟିକେଟ ରେସରେ ଆଗରେ ଥିବା ବେଳେ ଯୁବ ନେତା ବିଦ୍ୟାଧର ଜେନା ମଧ୍ୟ ଚଳିତଥର କଂଗ୍ରେସ ଟିକେଟରେ ନିର୍ବାଚନ ମୈଦାନରେ ଏଣ୍ଟ୍ରି ମାରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ।

ଏସବୁ ଭିତରେ ଆଗାମୀ ନିର୍ବାଚନରେ କେଉଁ ଦଳ କେଉଁ ରଣନୀତି ନେଇ ମୈଦାନକୁ ଓହ୍ଲାଉଛନ୍ତି ତାହା ଦେଖିବା ବାକି ରହିଲା । ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ କିଭଳି ମନାଇପାରିବ ସେନେଇ ରଣକୌଶଳ କରୁଥିବା ବେଳେ ବିଜେପି ଏଠାରେ ଗେରୁଆ ବାନା ଉଡାଇବାକୁ ସଙ୍ଗଠନକୁ ମଜବୁତ୍ କରୁଛି । ଅନ୍ୟପଟେ କଂଗ୍ରେସ ନୂଆ ଟିମ୍ ସହ ପୁଣିଥରେ ଧାମନଗରରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି ।