କନକ ବ୍ୟୁରୋ: ଦିନ ଯେତେ ପାଖେଇ ଆସୁଛି ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଧାମନଗର । ବିଜେଡି, ବିଜେପି, କଂଗ୍ରେସ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଶନିବାର ଦଳୀୟ ନେତା ଓ ଷ୍ଟାରଙ୍କ ସହ ଦୋଳସାହିରେ ରୋଡ ଶୋ କରିଛନ୍ତି । ଅବନ୍ତୀଙ୍କ ପାଇଁ ସ୍ନେହାଙ୍ଗିନୀ ଛୁରିଆ, ମୁନା ଖାଁ ଓ ସ୍ଥାନୀୟ ନେତା ପ୍ରଚାରରେ ସାମିଲ ହୋଇଛନ୍ତି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇବା ପରେ ରୋଡ ଓ ଘରକୁ ଘର ବୁଲି ପ୍ରଚାର କରିବା ଉପରେ ଫୋକସ କରିଛି ବିଜେଡି । ଦଳ ଏଠାରୁ ବିଜୟୀ ହେବ ବୋଲି ଦୃଢୋକ୍ତି କରିଛନ୍ତି ଦଳୀୟ ନେତା ।

Advertisment

ଭୋଟଦାନ ତାରିଖ ପାଖେଇ ଆସୁଥିବାରୁ ବିଜେପି ବି ପ୍ରଚାରକୁ ଜୋରଦାର କରିଛି । ଶୁକ୍ରବାର ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଥିଲେ । ଶନିବାରଦିନ ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଚାରରେ ସାମିଲ ହୋଇଛନ୍ତି । ବିଭିନ୍ନ ପଞ୍ଚାୟତରେ ରୋଡ ଶୋ କରି ଶକ୍ତିପ୍ରଦର୍ଶନ କରୁଛି ବିଜେପି । ବିଜେପି ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ଅନୁକମ୍ପାମୂଳକ ହାତେଇବାକୁ ପ୍ରୟାସ ଜାରି ରଖିଛି ବିଜେପି । ସେପଟେ କଂଗ୍ରେସ ବି ଧୁଷୁରୀରେ ରୋଡ ଶୋ କରି ଭୋଟ ମାଗିଛନ୍ତି । ଏଥିରେ ସାମିଲ ହୋଇଥିଲେ କଂଗ୍ରେସ ନେତା ସୁର ରାଉତରାୟ

ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବି ପ୍ରଚାରକୁ ଜୋରଦାର କରିଛି । ବିଶେଷକରି ତିହିଡିର ୧୩ ପଞ୍ଚାୟତ ଓ ଧାମନଗର ଉପରେ ଫୋକସ କରିଛନ୍ତି ବିଜେଡି-ବିଜେପି । ଏହି ଅଞ୍ଚଳରେ ନିଜ ଭୋଟକୁ ବଜାୟ ରଖିବା ପାଇଁ ଦୁଇଦଳର ଯୋଜନା ବି ପ୍ରସ୍ତୁତ ହୋଇଛି । ଏହି ଅଞ୍ଚଳର ଭୋଟ ସବୁଦଳ ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି ।