ଧାମନଗରରେ ପୁଣି ଫୁଟିଲା ପଦ୍ମ : ସୁରଜଙ୍କ ମୁଣ୍ଡରେ ସୁନାକଳସ; ୯ ହଜାର ୮୮୧ ଭୋଟରେ ବିଜୟୀ

1,390

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ । ଧାମନଗରବାସୀଙ୍କୁ ମିଳିଲା ନୂଆ ବିଧାୟକ । ବିଜୟୀ ହେଲେ ଦିବଗଂତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ସୂରଜ ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୯ ହଜାର ୮୮୧ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସୂରଜଙ୍କୁ ୮୦ ହଜାର ୩୫୧ ଭୋଟ ମିଳିଥିବାବେଳେ ଅବନ୍ତୀଙ୍କୁ ମିଳିଛି ୭୦ ହଜାର ୪୭୦ ଭୋଟ୍ । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପାଇଛନ୍ତି ୮ହଜାର ୧୫୩ ଭୋଟ ।

କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ମିଳିଛି ମାତ୍ର ୩୫୬୧ ଖଣ୍ଡ ଭୋଟ । ୨୦୧୯ରେ ଦିବଗଂତ ବିଧାୟକ ବିଷ୍ଣୁ ସେଠୀ ଯେତିକି ଭୋଟ ପାଇଥିଲେ ତାଠୁ ଅଧିକ ଭୋଟ ପାଇଛନ୍ତି ସୂରଜ । ଭୋଟ ବ୍ୟବଧାନ ମଧ୍ୟ ଅଧିକ ହୋଇଛି । ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପଛରେ ପକାଇ ଭୋଟ୍‌ ବ୍ୟବଧାନରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡରେ ସୂର୍ଯ୍ୟବଂଶୀ ୭୫୯ ଭୋଟ୍‌ରେ ଆଗୁଆ ରହିଥିବାବେଳେ ଏହି ଧାରା ପରବର୍ତ୍ତୀ ରାଉଣ୍ଡଗୁଡ଼ିକରେ ମଧ୍ୟ ଅବ୍ୟାହତ ରହିଥିଲା । ମୋଟ୍‌ ୧୯ ରାଉଣ୍ଡ ମଧ୍ୟରୁ ମାତ୍ର ଦୁଇଟି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବିଜେପି ପ୍ରାର୍ଥୀଙ୍କଠାରୁ ଆଗରେ ରହିଥିଲେ । ଅନ୍ୟ ୧୭ଟି ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଆଗୁଆ ରହିଥିଲେ ।

ଧାମନଗର ଏନ୍‌ଏସିର ୧୦ଟି ୱାର୍ଡ ସହ ଧା‌ମନଗର ଓ ତିହିଡ଼ି ଦୁଇଟି ବ୍ଲକର ୬ଟି ଜୋନ୍‌ରେ ୨୫୨ଟି ବୁଥ୍‌ରେ ୧୯ ରାଉଣ୍ଡ ଭୋଟ୍‌ ଗଣତି ହୋଇଥିଲା । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ବିଜୟ ଘୋ‌ଷଣା ପରେ ଭୋଟ୍‌ ଗଣତି କେନ୍ଦ୍ରରେ ଅଦିନିଆ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା । ହଜାର ହଜାର ସମର୍ଥକ ବାଣ ଫୁଟାଇ, ବାଜା ବଜାଇ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କୁଆଁଶସ୍ଥିତ ବାସଭବନକୁ ନେଇଥିଲେ । ଏଥିସହ ବିଜେଡିର ଉପନିର୍ବାଚନ ବିଜୟ ଧାରାରେ ବ୍ରେକ ଲାଗିଛି । ବିଜୟୀ ହେବା ପରେ ଧାମନଗରବାସୀଙ୍କୁ ଶ୍ରେୟ ଦେଇଛନ୍ତି ସୂରଜ ସୂର୍ଯ୍ୟବଂଶୀ । କହିଛନ୍ତି ଏହି ବିଜୟ ଧାମନଗରବାସୀଙ୍କର । ମୁଁ ନିମିତ ମାତ୍ର । ସୂରଜଙ୍କୁ ଶୁଭେଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ଧାମନଗରରେ ଉପିନିର୍ବାଚନରେ ଧର୍ମର ବିଜୟ ହୋଇଛି ।