କନକ ବ୍ୟୁରୋ : ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମନଗର ଉପନର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର । ସୂଚନା ମୁତାବକ ଆଜି ସକାଳ ସାଢେ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଧାମନଗର ମେଡିକାଲ ବଜାରରରେ ଆୟୋଜନ କରାଯାଇଥିବା ଏକ ପଦଯାତ୍ରାରେ ଯୋଗଦେବେ । ପରେ କୋଥାର ଛକ ଏବଂ ସହୀଦ ପୀଠ ନିକଟରେ ଆୟୋଜନ କରାଯାଇଥିବା ଅନ୍ୟ ଦୁଇଟି ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜମିବାରେ ଲାଗିଛି । ବିଜେପି, ବିଜେଡି, କଂଗ୍ରେସ ତାଳ ମିଳାଇ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ମଧ୍ୟ ପ୍ରଚାର ଚଳାଇଛନ୍ତି ।
ନିକଟ ଅତୀତରେ ହୋଇଥିବା ସବୁ ଉପନିର୍ବାଚନରେ ବିଜେଡି ବାଜିବାତ କରିଥିବା ବେଳେ ଏଥର ବିଜେଡି ପାଇଁ କଂଟା ସାଜିପାରନ୍ତି ବିଜେଡିରୁ ବିଦ୍ରୋହ କରି ପ୍ରାର୍ଥୀ ହୋଇଥିବା ରାଜୁ ଦାସ । ଯାହା ବିଜେପି ପାଇଁ ସୁହାଇବ । ବିଜେଡିର ଭୋଟ ଯଦି ଦୁଇ ଭାଗ ହୁଏ, ତେବେ ଏଠି ବିଜେପି ପ୍ରାର୍ଥୀଙ୍କ ଜିତିବା ସହଜ ହେବ ବୋଲି କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଯିବେ ନା ନାହିଁ ତାହା ଏବେ ସୁଦ୍ଧା ସ୍ଥିର ହୋଇନାହିଁ । ବିଜେଡି ଜାରିକରିଥିବା ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ରହିଛି । ଯଦି ଆବଶ୍ୟକ ପଡେ ନବୀନ ପ୍ରଚାରରକୁ ଓହ୍ଲାଇବେ ବୋଲି ପୂର୍ବରୁ ବିଜେଡି ନେତାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଥିଲା ।