କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ୩ ଦଳର କସରତ । ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ହେଲେ ପ୍ରଥମ ଦିନରେ କୌଣସି ଦଳ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜେପି ନାଁରେ ମୋହର ମାରିପାରେ । ଗତକାଲି ଭଦ୍ରକ ଗସ୍ତରେ ଆସିଥିବା ବିଜେପିର ରାଜ୍ୟପ୍ରଭାରୀ ଡି ପୁରେନ୍ଦେଶ୍ୱରୀ କହିଥିବା ସୂଚନା ରହିଛି । ବିଜେପିର ପ୍ରାର୍ଥୀ ଚୟନ ସ୍ପଷ୍ଟ ଥିବା ବେଳେ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି ।

Advertisment

ଅନ୍ୟପକ୍ଷରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ ସୁଦ୍ଧା ସଂଖ୍ୟାଧିକ ଆଶାୟୀଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଛି । ସେପଟେ ବିଜେଡିରେ ଆଶାୟୀଙ୍କ ତାଲିକା ଲମ୍ବୁଥିବାରୁ ପ୍ରାର୍ଥିତ୍ୱ ସମ୍ପର୍କରେ କିଛି ଚିତ୍ର ସ୍ପଷ୍ଟ ହୋଇନାହିଁ । ଦଳ ତୃଣମୂଳସ୍ତରରୁ ନେତା କର୍ମୀଙ୍କଠାରୁ ମତାମତ ସଂଗ୍ରହ କରୁଛି । ବାଲେଶ୍ୱର ସଦର ଉପନିର୍ବାଚନ ଭଳି ଧାମନଗର ଜଣେ ନୂଆ ମୁହଁକୁ ବିଜେଡି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି । ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜେଡି କଡ଼ା ଟକ୍କର ଦେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।