କନକ ବ୍ୟୁରୋ : ବିଜେପି ଟିକେଟରେ ଧାମନଗର ଉପନିର୍ବାଚନ ଲଢିବେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ । ଏନେଇ ଏକପ୍ରକାର ନିଶ୍ଚିନ୍ତ ହୋଇ ସାରିଥିବା ବେଳେ କେବଳ ଦଳ ପକ୍ଷରୁ ଔପଚାରିକ ଘୋଷଣା ବାକି ରହିଛି । ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୧୯ ତାରିଖରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲିପଡିଛି ।

Advertisment

ନଭେମ୍ବର ୬ ତାରିଖରେ ଉପନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିଥିବାବେଳେ ତିନି ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେବ ସେନେଇ କଳ୍ପନା ଜଳ୍ପନା ଲାଗିରହିଛି । ବିଜେଡି ଏବଂ କଂଗ୍ରେସର ବହୁ ଆଶାୟୀ ରହିଥିବା ବେଳେ ଦଳ କାହାକୁ ଟିକେଟ୍ ଦେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହାରି ଭିତରେ ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇ, ଦଳ ସହାନୁଭୂତିର ଭୋଟ ହାତେଇବାକୁ ରଣନୀତି କରିଥିବା ଅନୁମାନ କରାଯାଉଛି । କାରଣ ଉପନିର୍ବାଚନ ପୂର୍ବରୁ ବିଭିନ୍ନ ପଞ୍ଚାୟତରେ ବୁଲି ଲୋକଙ୍କ ଆଶୀର୍ବାଦ ନେଉଛନ୍ତି ସୂରଜ ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଭଦ୍ରକରେ ପହଞ୍ଚି ବିଜେପି ନେତାମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ବାପାଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲ ପାଇବାକୁ ନେଇ ଏହି ଲଢେଇ କରିବେ ବୋଲି ଦମ୍ଭ ଦେଖାଇଛନ୍ତି ସୂରଜ । ଅନ୍ୟପକ୍ଷରେ ଧାମନଗରେ ବିଜେପି ସଙ୍ଗଠନ ମଜବୁତ ଥିବା କହି ଉପନିର୍ବାଚନରେ ବିଜୟୀ ହେବାକୁ ବରିଷ୍ଠ ନେତା ମନମୋହନ ସାମଲ ଦମ୍ଭ ଦେଖାଇଛନ୍ତି ।