କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି । ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ ହୋଇଥିବା ସୂଚନା । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରିବେ ଭୋଟର । ଧାମନଗରର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ । ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ଭୋଟରମାନେ ଭୋଟ ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ଭୋଟ ଦେଇ ପାରିବେ ।
ମୋଟ ୨୫୨ଟି କେନ୍ଦ୍ରରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୨୬ଟି ବୁଥରେ ୱେବ୍ କାଷ୍ଟିଂ କରାଯିବ । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥା ବାର୍ତା କରିପାରିବେ ନାହିଁ । ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କୁ ଗିରଫ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି । ଏଥିପାଇଁ ୨୫ଟି ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି । ଏଥିସହ ଚେକିଂକୁ କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।