ଧାମନଗର ଉପନିର୍ବାଚନ ଫଳାଫଳ ପୂର୍ବରୁ ହିଂସା : ତିହିଡି ଥାନା ତଳଗୋପବିନ୍ଧାରେ ମରଣାନ୍ତକ ଆକ୍ରମଣ; ୨ ଆହତ

190

କନକ ବ୍ୟୁରୋ : ଧାମନଗରରେ ଆସନ୍ତାକାଲି ଭୋଟ ଗଣତି । ହେଲେ ଏହା ପୂବ ର୍ରୁ ଧାମନଗର ତିହିଡିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ତିହିଡି ତଳଗପବିନ୍ଧା ଗାଁରେ ବିଜେପି ସମର୍ଥକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବିଜେପି ସମର୍ଥକଙ୍କୁ ଗତକାଲି ବିଳମ୍ବିତ ରାତିରେ ବିଜେଡି କର୍ମୀ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ ତଳଗପବିନ୍ଧା ଗାଁର ସଂଜିବନୀ ବହେରା ଓ ଶଶିକାନ୍ତ ଜେନା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପାଇବା ପରେ ତିହିଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଭିଏମରେ ପ୍ରାର୍ଥୀ ଭାଗ୍ୟ ସିଲ ଥିବା ବେଳେ ଫଳାଫଳକୁ ନେଇ ନେତାଙ୍କ ଛାତି ଧଡପଡ ହେଉଛି । ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ଇଭିଏମ ରଖାଯାଇଛି । ହେଲେ ଗଡବଡ ଆଶଙ୍କାରେ ନେତା ଷ୍ଟ୍ରଙ୍ଗରୁମ ବାହାରେ ରାତି ଅନିଦ୍ରା ହୋଇ ଜଗି ରହୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

କାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ୨ଟି ବ୍ଲକ ଓ ଗୋଟିଏ ଏନଏସିର ମୋଟ୍ ୧୪ଟି ଗଣତି ଟେବୁଲରେ ୧୮ ରାଉଣ୍ଡ ଭୋଟ ଗଣତି ହେବ । ଧାମନଗର ବ୍ଲକର ଅସୁରାଳି ଜୋନରୁ ଭୋଟ ଗଣତି ଆରମ୍ଭ ହୋଇ ତିହିଡି ବ୍ଲକରେ ଭୋଟ ଗଣତି ଶେଷ ହେବ ବୋଲି ସୂଚନା ମିଳିଛି । ଏହାପରେ ସ୍ପଷ୍ଟ ହୋଇଯିବ ଧାମନଗର ଜନତା କାହାକୁ ନେତା ବାଛିଛନ୍ତି ।