କନକ ବ୍ୟୁରୋ: ଧାମନଗରକୁ ନେଇ ଜୋର ଧରିଛି ରାଜନୀତି । ଧାମନଗରରେ ଟଙ୍କା ବଣ୍ଟା ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ନିର୍ବାଚନ ଅଧିକାରୀ । ଧାମନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ତେବେ ଦୁଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବିଜେଡି ଟିମ ଭୁବନେଶ୍ୱରରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବାବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ନେଇ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment
  • ଭୋଟ ପାଇଁ ନୋଟ ଅଭିଯୋଗ
  • ଭାରତୀୟ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା ବିଜେପି
  • ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଧାମନଗର ଉପ ନିର୍ବାଚନରେ ସରକାର କଳର ଅପବ୍ୟବହାର କରାଯାଉଥିବା ଏବଂ ଟଙ୍କା ବଣ୍ଟାକୁ ନେଇ ଭାରତୀୟ ନିର୍ବାଚନ କମିସନଙ୍କ ନିକଟରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ଭାରତୀୟ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇ ସରକାରୀ କଳର ଦୂରୂପଯୋଗ ଅଭିଯୋଗ ଆଣିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମଧ୍ୟ ବର୍ଷିଛି ବିଜେପି । ଏପରିକି ପ୍ରମାଣ ଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା କହିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ପଞ୍ଚାୟତିରାଜ ବିଭାଗର ସଚିବ ଥିବା ଅଭିଯୋଗ କରି କନଫ୍ଲିକ୍ଟ ଅଫ୍ ଇଂଟ୍ରେଷ୍ଟ କଥା ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏପଟେ ଧାମନଗର ଥାନାରେ ଟଙ୍କା ବଣ୍ଟା ଅଭିଯୋଗରେ ଦୁଇଟି ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଦୁଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଧାମନଗରରେ ଏକ ନିର୍ବାଚନ ସଭାରେ ଭୋଟ୍ ପାଇଁ ସ୍ଥାନୀୟ ନେତା କୋଟିଏ ଟଙ୍କା ଅଫର ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନଅଧିକାରୀଙ୍କୁ ଫେରାଦ ହୋଇଥିଲା ବିଜେପି ଟିମ୍ । ସେହିପରି ଅନ୍ୟ ଏକ ଭିଡିଓରେ ଜଣେ ମହିଳା ସ୍କୁଟିରେ ଆସି ଟଙ୍କା ବାଣ୍ଟୁଥିବାର ଦୃଶ୍ୟ କଏଦ ହୋଇଥିଲା । ଏ ସବୁ ଭିତରେ ଦିଲ୍ଲୀରେ ଭାରତୀୟ ନିର୍ବାଚନ କମିସନଙ୍କୁ ବିଜେପି ପ୍ରତିନିଧି ଦଳ ଭେଟିଥିବା ବେଳେ ଭୁବନେଶ୍ୱରରେ ବିଜେଡି ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭେଟିଛନ୍ତି । ପ୍ରେସ୍ ରିଲିଜ୍ ଜାରି କରି ବିଜେଡି କହିଛି ...

  • ଏସଏଚଜି ମହିଳାଙ୍କୁ ଅପମାନିତ ଓ ବଦନାମ କରିବାକୁ ଉଦ୍ୟମ କରୁଛି ବିଜେପି
  • ଏହି ରାଜନୀତି ଅତ୍ୟନ୍ତ ନିନ୍ଦନୀୟ
  • ବିଜେଡି ସବୁବେଳେ ଏସଏଚଜିର ମାଆମାନଙ୍କୁ ସମ୍ମାନ କରେ
  • ଦଳ ସେମାନଙ୍କ ଉନ୍ନତି ଲାଗି କାମ କରିଆସୁଛି
  • ମାଆମାନେ ସବୁ ନିର୍ବାଚନରେ ବିଜେଡିକୁ ଆର୍ଶୀବାଦ କରିଆସୁଛନ୍ତି
  • ଏଥିରେ ବିଜେପି ଆତଙ୍କିତ ହୋଇ ହୀନ ରାଜନୀତି କରୁଛି

ଭୋଟ ପାଇଁ ନୋଟ୍ ଅଭିଯୋଗକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି । ଏହାକୁ ନେଇ ସରଗରମ ହେବାରେ ଲାଗିଛି ଧାମନଗର ରାଜନୀତି । ଆଉ ଏହାରି ଭିତରେ ଗୁରୁବାର ଠାରୁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ।