ଭଦ୍ରକ ଧାମରା ବନ୍ଦରରେ ଅଘଟଣ : କୋଇଲା ଗାଡି ଧସି ୫ ଜଣଙ୍କ ମୃତ୍ୟୁ, ଜଣେ ନିଖୋଜ

32

କନକ ବ୍ୟୁରୋ : ଧାମରା ବନ୍ଦରରେ ଜଳିଲା ଅଶାନ୍ତି ଓ ଅସନ୍ତୋଷର ନିଆଁ । ବନ୍ଦର ପରିସରରେ ଥିବା ଏକ କୋଇଲା ଗଦାକୁ ଢାଙ୍କିବା ସମୟରେ ଏହା ଧସି ପଡିବାରୁ ଶ୍ରମିକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ବର୍ଷାରୁ ସୁରକ୍ଷା ଦେବା ପାଇଁ କୋଇଲା ଗଦାକୁ ଘୋଡାଇବା ପାଇଁ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଉପରେ ଧସିପଡିଥିଲା କୋଇଲା । ଏହା ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାପରେ ବନ୍ଦର ପରିସରରେ ଲଙ୍କାକାଣ୍ଡ କରିଛନ୍ତି ଉତ୍ୟକ୍ତ ଲୋକ । ଶହଶହ ଲୋକ ବନ୍ଦର ଭିତରେ ଥିବା ବିଭିନ୍ନ କମ୍ପାନିର ୫୦ରୁ ଅଧିକ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ଆସବାବ ପତ୍ର ଭଙ୍ଗାରୁଜା କରିବା ସହ ଦୁଇ ଚକିଆ ଓ ଚାରିଚକିଆ ଯାନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ବନ୍ଦର ପରିସରରେ କୋଇଲା ପରିବହନ କରୁଥିବା ଅଦାନୀ କମ୍ପାନି, ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି ଉତ୍ୟକ୍ତ ଲୋକ ।

ଗୁରୁତର ଶ୍ରମିକଙ୍କୁ ଭଦ୍ରକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାବେଳେ କୋଇଲା ଗଦାତଳେ ଆହୁରି କିଛି ଶ୍ରମିକଙ୍କ ମୃତଦେହ ଚାପି ରହିଥିବା ଅନୁମାନ କରାଯାଉଛି । ସେପଟେ ବନ୍ଦର ପରିସରରେ ଟପ୍ ପୋଲିସ ଅଫିସର ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ମୃତାହତଙ୍କୁ ହସ୍ପିଟାଲ ନେବା ସମୟରେ ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବା ଅଭିଯୋଗ କରି ବନ୍ଦର ସୁରକ୍ଷାକର୍ମୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ଉତ୍ୟକ୍ତ ଲୋକେ ।

ବନ୍ଦର ପରିସରରେ ଦୁର୍ଘଟଣାକୁ ନେଇ ଅଦାନୀ ବିରୋଧରେ ଅସନ୍ତୋଷ ଜାରି ରହିଥିବାବେଳେ ସ୍ପଷ୍ଟୀକରଣ ରଖିଛି କମ୍ପାନି । କମ୍ପାନି ତାର ନିୟମିତ ଓ ଠିକା ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥାଏ ଓ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇଥାଏ ବୋଲି କୁହାଯାଇଛି । ତଥାପି ଏହି ଅଘଟଣ କାହିଁକି ଘଟିଲା ତାର ଅନୁଧ୍ୟାନ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ହେଲେ ପ୍ରଶ୍ନ ଉଠୁଛି-
୧- ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲେ ଏଭଳି ଅଘଟଣ ଘଟିଥାନ୍ତା କି?
୨- କୋଇଲା ଧସି ଶ୍ରମିକଙ୍କ ମୃତ୍ୟୁ ପାଇଁ ଅଦାନୀ କମ୍ପାନିକୁ ଦାୟୀ କରାଯିବ ନାହିଁ କି?
୩- ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ନେଇ କମ୍ପାନି ସ୍ପଷ୍ଟ କରିବ କି?