ଧାଡି ଦର୍ଶନରେ ଘୋର ଅବ୍ୟବସ୍ଥା : ଅସମ୍ଭାଳ ଭିଡ ହେବାରୁ ଉପୁଜିଥିଲା ଦଳାଚକଚା ପରିସ୍ଥିତି

ଧାଡି ଦର୍ଶନରେ ଘୋର ଅବ୍ୟବସ୍ଥା : ଅସମ୍ଭାଳ ଭିଡ ହେବାରୁ ଉପୁଜିଥିଲା ଦଳାଚକଚା ପରିସ୍ଥିତି

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ବ୍ୟବସ୍ଥାରେ ପ୍ରଥମ କରି ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନର ଅସଲ ଚିତ୍ର ରବିବାର ଧରାପଡିଛି। ଅସମ୍ଭାଳ ଭିଡ଼ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲେ ହେଁ ସୌଭାଗ୍ୟବଶତଃ କୌଣସି ଅଘଟଣ ଘଟିନାହିଁ। ତେବେ ଭିଡ଼ ଅସମ୍ଭାଳ ହେବାରୁ ଭକ୍ତବୃନ୍ଦ ଜୀବନ ରକ୍ଷା ପାଇଁ ପ୍ରାଣ ବିକଳରେ ବ୍ୟାରିକେଡ୍ ଡେଇଁଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଫଳରେ, ପ୍ରବଳ ଭିଡ଼ ଯୋଗୁ ବହୁ ଭକ୍ତ ଅଣନିଃଶ୍ବାସୀ ହୋଇଛନ୍ତି। ଭିତର କାଠ ନିକଟରେ ଜଣେ ମହିଳା ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ବେଳେ ହବିଷ୍ୟାଳିମାନେ ମହାପ୍ରଭୁଙ୍କ ଦର୍ଶନ ନ କରି ଫେରି ଯାଇଥିବା ଜଣାପଡ଼ିଛି।

publive-image

କାର୍ତ୍ତିକ ମାସ ତଥା ରବିବାର ଥିବାରୁ ଶ୍ରୀକ୍ଷେତ୍ରରେ ନାହିଁନଥିବା ଭିଡ଼ ହୋଇଥିଲା। ଲକ୍ଷାଧିକ ଲୋକ ଶ୍ରୀଜିଉଙ୍କୁ ଦର୍ଶନ କରିବା ଲାଗି ପୁରୀ ଆସିଥିଲେ। ଜଗନ୍ନାଥ ବଲ୍ଲଭ ପାର୍କିଂସ୍ଥାନ, ପୁରୁଣା ଜେଲ ପାର୍କିଂ ସ୍ଥଳ ଉଛୁଳି ପଡିଥିବାବେଳେ ଗାଡି ରଖିବାକୁ ଜାଗା ମିଳିନଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଦିନତମାମ୍ ଶ୍ରୀମନ୍ଦିରରେ ଭକ୍ତମାନେ ଧାଡ଼ିରେ ରହି ଅଣନିଃଶ୍ବାସୀ ହୋଇ ପଡିିଥିଲେ। ରବିବାରର ଭିଡ଼କୁ ନିୟନ୍ତ୍ରଣ କରିପାରୁନଥିବା ପ୍ରଶାସନ ଆଗାମୀ ଦିିନରେ କିଭଳି ଏହାକୁ ନିୟନ୍ତ୍ରଣ କରିବ ସେ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ କାର୍ତ୍ତିକ ଭିଡ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରାକ୍ ପ୍ରସ୍ତୁତି ନଥିବା ବେଳେ ଭକ୍ତଙ୍କ ଦର୍ଶନକୁ ନେଇ ପ୍ରଶାସନ କେତେ ସଚେତନ ତାହା ଆଜିର ଅବ୍ୟବସ୍ଥାରୁ ଧରାପଡ଼ିଛି। ଆଗକୁ ପଞ୍ଚୁକ ଥିବାରୁ ମନ୍ଦିର ପ୍ରଶାସନ ପୂରା ପ୍ରସ୍ତୁତ ନ ରହିଲେ ସ୍ଥିତି ବିଗିଡିଯିବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe