କନକ ବ୍ୟୁରୋ: ଗୁଜରାଟରେ ଝୁଲାପୋଲ ଭୁଶୁଡି ଶତାଧିକ ପ୍ରାଣ ଯିବା ପରେ ହଠାତ୍ ତତ୍ପର ହୋଇଉଠିଛି କଟକ ଜିଲ୍ଲା ପ୍ରଶାସନ । କଟକ ଧବଳେଶ୍ୱର ମନ୍ଦିର ପାଖରେ ଥିବା ଝୁଲାପୋଲକୁ ଗୋଟିଏ ଦିନ ପାଇଁ ପ୍ରଶାସନ ବନ୍ଦ କରିଦେଇଛି । ତେବେ ପୋଲର ସ୍ଥିତି ଦୁର୍ବଳ ଥିବା ନେଇ ଖବର ପ୍ରସାରଣ ପରେ ପୋଲର ଯାଞ୍ଚ ହେଉଥିବା କଥା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Advertisment

ତେବେ ଗୋଟିଏ ଦିନ ସମ୍ପୂର୍ଣ୍ଣ ଭାବେ କଟକ ଧବଳେଶ୍ୱର ଝୁଲାପୋଲ ବନ୍ଦ ରହିବ । ଏହି ସମୟରେ ପୋଲିର ନିରାପତ୍ତା ଯାଞ୍ଚ କରାଯିବ । ଟେକ୍ନିକାଲ ଟିମର ପୋଲର ସ୍ଥିତି ଯାଞ୍ଚ କରିବା ପରେ ଯାଇ ପୋଲକୁ ଗମନାଗମନ ପାଇଁ ବ୍ୟବହାର କରାଯିବ । ତେବେ ପୋଲ ବନ୍ଦ ରହିବା ସମୟରେ ଶ୍ରଦ୍ଧାଳୁମାନେ ବୋଟ୍ କିମ୍ବା ଡଙ୍ଗାରେ ଯାଇ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ । ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ପାଖରେ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ବାହିନୀ ଉପସ୍ଥିତ ରହିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁଜରାଟରେ ମୋର୍ବିରେ ବଡ ଦୁର୍ଘଟଣା ଘଟିଯାଇଛି । ଝୁଲା ଫୋଲ ଭୁଶୁଡିଯିବା ଫଳରେ ୧୩୨ ଜଣଙ୍କ ମୃତ୍ୟୁ ହୋଇଛି । ମଚ୍ଛୁ ନଦୀରେ ଏହି ବଡ ଦୁର୍ଘଟଣା ଘଟିଛି । ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ୧୭୭ ଜଣଙ୍କୁ ଆହତଙ୍କୁ ଉଦ୍ଧାର କରାଯାଇଛି । ଏମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି । ଉଦ୍ଧାର କାର୍ଯ୍ୟରେ ସେନା ସାମିଲ ହୋଇଛି । ବାୟୁସେନାର ଗରୁଡ଼ କମାଣ୍ଡୋ ବାହିନୀ, ସ୍ଥଳସେନା, ଏନଡିଆରଏଫ୍, ଏସଡିଆରଏଫ୍ ଓ ଜିଲ୍ଲାର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ରାତି ସାରା ୨୦୦ରୁ ଅଧିକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୁଜରାଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏହି ଝୁଲା ପୋଲରେ ଛଟ ପର୍ବ ପାଳନ ପାଇଁ ଲୋକେ ଜମା ହୋଇଥିଲେ । ଏହି ସମୟରେ ହଠାତ୍ ପୋଲଟି ଭୁଶୁଡିଯାଇଥିଲା । ଏହି ଝୁଲା ପୋଲଟି ୭ ମାସ ହେବ ବନ୍ଦ ରହିଥିଲା । ମରାମତି ହେବା ପରେ ୩ ଦିନ ତଳେ ଲୋକଙ୍କ ପାଇଁ ଏହା ଖୋଲାଯାଇଥିଲା ।