କନକ ବ୍ୟୁରୋ: କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ ରିଲିଜ୍ ହେବାକୁ ୯ ଦିନ ବିତିସାରିଲାଣି । ହେଲେ ଫିଲ୍ମର ଆୟ ଦିନକୁ ଦିନ ଖରାପରୁ ଖରାପ ହେବାରେ ଲାଗିଛି । ମିଳିଥିବା ସୂଚନା ମୁତାବକ, ଅଷ୍ଟମ ଦିନରେ ଏହି ବଲିଉଡ୍ ଫିଲ୍ମର ପୂରା ଦେଶରେ ମାତ୍ର ୨୦ଟି ଟିକେଟ୍ ବିକ୍ରି କରିପାରିଛି । ଆଉ ଏହି ଦିନ ଫିଲ୍ମ କେବଳ ପୂରା ଦେଶରେ ୪୪୨୦ ଟଙ୍କା ଆୟ କରିପାରିଛି । ଯାହାକି ଫିଲ୍ମର ପ୍ରଡ୍ୟୁସରଙ୍କୁ ଏକ ଶକ୍ତ ଧକ୍କା ।

Advertisment

ରିପୋର୍ଟ ମୁତାବକ, ଧାକଡ୍ ଫିଲ୍ମ ମେ ୨୭ ତାରିଖରେ ଏହି ଅଲୋଡା ରେକର୍ଡ କରିଛି । ଏହା ପୂର୍ବରୁ କୌଣସି ବି ବଲିଉଡ୍ ଫିଲ୍ମ କ୍ଷେତ୍ରରେ ଏପରି ନିରାଶାଜନକ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । ତେବେ ଧାକଡର ଏହି ନିରାଶାଜନକ ପ୍ରଦର୍ଶନ ପରେ କଙ୍ଗନାଙ୍କୁ ଟ୍ରୋଲିଂ ବି ଜୋରଦାର ହେବାରେ ଲାଗିଛି ।

ଫିଲ୍ମ ନିର୍ମାଣ ସମୟରେ ଏହାର ବଜେଟ୍ ରହିଥିଲା ୮୦ରୁ ୯୦ କୋଟି । ରିଲିଜ୍ ହେବା ପୂର୍ବରୁ ଫିଲ୍ମ ମେକର୍ସ ଏହାର ଓଟିଟି ଓ ସାଟେଲାଇଟ୍ ରାଇଟ୍ସ ବିକ୍ରି କରିନଥିଲେ । ଫିଲ୍ମ ରିଲିଜ୍ ହେବା ପରେ ଏହାର ରାଇଟ୍ସ ବିକ୍ରି କରିବାକୁ ସେମାନେ ଲକ୍ଷ୍ୟ ରଖିଥିଲେ । ହେଲେ ଫିଲ୍ମର ଏପରି ପ୍ରଦର୍ଶନ ଦେଖିବା ପରେ କୌଣସି ବି ଓଟିଟି ପ୍ଲାଟଫର୍ମ ଏବେ ଏହାର ରାଇଟ୍ସ କିଣିବାକୁ ରାଜିନାହାଁନ୍ତି । ଯାହା ପରେ ଫିଲ୍ମ ପ୍ରଡ୍ୟୁସର ଏକ ବଡ କ୍ଷତି ସହିପାରନ୍ତି ।

ଧାକଡ ଫିଲ୍ମ ପ୍ରଥମ ଦିନରେ କେବଳ ୫୦ ଲକ୍ଷ ଟଙ୍କା କଲେକ୍ସନ କରିପାରିଥିଲା । ଏହାପରେ ଦିନକୁ ଦିନ ଫିଲ୍ମର ଆୟ ତଳକୁ ଖସିବାରେ ଲାଗିଥିଲା । ୬ ଦିନରେ ଧାକଡ ଫିଲ୍ମ କେବଳ ୪ କୋଟି ଟଙ୍କା କଲେକ୍ସନ କରିପାରିଥିଲା । ତେଣୁ ୮୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଏବେ ୫ କୋଟି ଟଙ୍କା ବି ଆୟ କରିପାରିବ କି ନାହିଁ ତା ଉପରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।