ମାଓ ସଂଗଠନକୁ ଶକ୍ତ ଝଟକା । ଡିଜିପିଙ୍କ ଆଗରେ ଆତ୍ମସମର୍ପଣ କଲେ ୩ ମାଓବାଦୀ, ହିଂସାର ପଥ ଛାଡି ମୁଖ୍ୟ ସ୍ରୋତରେ ସାମିଲ ପାଇଁ ମାଓବାଦୀଙ୍କୁ ଅପିଲ କଲେ ପୁଲିସ ଡିଜି ।

120

କନକ ବ୍ୟୁରୋ : ଲାଲଗଡରେ ପୋଲିସ ମହାନିର୍ଦ୍ଦେଶକ । କୋରାପୁଟରେ ଡ଼ିଜିପି ଅଭୟ । ଡ଼ିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀଙ୍କ ବୈପାରିଗୁଡ଼ା ଏରିଆ କମିଟିର ହାର୍ଡ଼ କୋର ମାଓନେତ୍ରୀ ତାଲସେ ହୁଇକା । ତାଳସେ ହୁଇକା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ତାଲସେର ଘର ନାରାୟଣ ପାଟଣା ବ୍ଲକରେ । ସେ ୧୩ ବର୍ଷ ବୟସରେ ନକ୍ସଲଙ୍କ ଜନ ନାଟ୍ୟ ମଣ୍ଡଳୀ ଦ୍ୱାରା ପ୍ରଭାବିତ ହୋଇ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ ।

୨୦୧୨ରେ ସେମାନଙ୍କ ଜନ ନାଟ୍ୟ ମଣ୍ଡଳୀରେ ସଦସ୍ୟ ହେବା ପରେ ତାଙ୍କର ସକ୍ରିୟତାକୁ ନେଇ ତାଲସେଙ୍କ ହାତରେ ୩୦୩ ରାଇଫଲ ଠାରୁ ଆରମ୍ଭ କରି ଇନସାସ ପର୍ଯ୍ୟନ୍ତ ବ୍ୟବହାର କରିଥିବା ଡ଼ିଜିପି ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ସଂଗଠନ ମୂୂଳକ ପଦକ୍ଷେପରେ ଆକର୍ଷିତ ହୋଇ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ତାଲସେ ।

ମାଓବାଦୀଙ୍କ ଗତିବିଧି ସ୍ଥିତି ସମୀକ୍ଷା କରିବା ପାଇଁ ବରିଷ୍ଠ ଆଇପିଏସ ଅଫିସରଙ୍କ ସହିତ ଗୋଟିଏ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦୁର୍ଗମ ଟେମୃପାଲିରେ ପହଁଚିଥିଲେ ଡିଜିପି । ମାଓବାଦୀଙ୍କୁ ନିପାତ କରିବା ଲାଗି ଟେମୃପାଲି ଠାରେ ଅବସ୍ଥାପିତ ବିଏସଏଫ୍ କ୍ୟାମ୍ପରେ ସୁରକ୍ଷା କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ଡିଜିପି । ଲାଲଗଡରେ ଶାନ୍ତି ଫେରାଇ ଆଣିବା ଲାଗି ଏହି ଅବସରରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।

ଡିଜିପିଙ୍କ ଏହି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ଆଇଜି ବିଏସଏଫ, ଆଇଜି ହେଡକ୍ୱାର୍ଟର ଏବଂ କୋରାପୁଟ ଏସପି ସାମିଲ ହୋଇଛନ୍ତି । ସେପଟେ ମାଲକାନଗିରିରେ ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଡ଼ିଜିପି ଅଭୟଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ଦୁଇ ମାଓବାଦୀ ହେଲେ ରେମି ପୋଡ଼ିଆମି ଓରଫ ସବିତା ଓ ରାଇଧର ଧୁରୁଆ । ଅନ୍ୟ ମାଓବାଦୀ ମାନଙ୍କୁ ଆତ୍ମସର୍ପଣ କରିବାକୁ ଅପିଲ କରିଛନ୍ତି ପୋଲିସ ଡ଼ିଜି ।