ବିମାନଯାତ୍ରୀଙ୍କ ପାଇଁ କଡା କଟକଣା । ମାସ୍କ ନପିନ୍ଧିଲେ ବିମାନରୁ ଯାତ୍ରୀଙ୍କୁ ଓହ୍ଳାଇ ଦେବାକୁ ଡିଜିସିଏର ନିର୍ଦ୍ଦେଶ ।

192

କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରୀଙ୍କ ପାଇଁ ଜାରି ହୋଇଛି କଡା ନିୟମ । ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ନପିନ୍ଧିଲେ ବିମାନରୁ ଓହ୍ଳାଇ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ସିଆଇଇଏସଏଫ ଓ ଦେଶର ସବୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ତତ୍କାଳ ଏହି ନିର୍ଦ୍ଦେଶ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ ବା ଡିଜିସିଏ ।

ଠିକ୍ ଭାବରେ ମାସ୍କ ପିନ୍ଧିବା ପାଇଁ ଯାତ୍ରୀଙ୍କୁ ବାରମ୍ବାର ତାଗିଦ କରିବା ପରେ ସମ୍ପୃକ୍ତ ଯାତ୍ରୀ ଜଣକ ମାସ୍କ ଠିକ୍ ଭାବରେ ନପିନ୍ଧିଲେ ତାଙ୍କୁ ବିମାନରୁ ଓହ୍ଳାଇ ଦେବାକୁ ନିର୍ଦ୍ଦେଶ ଜାରି କରିଛି ଡିଜିସିଏ । ଏପରିକି ବିନା ମାସ୍କରେ ଯେପରି କେହି ବିମାନବନ୍ଦରକୁ ପ୍ରବେଶ କରିବେ ନାହିଁ ତା ଉପରେ ନଜର ରଖିବ ସିଆଇଏସଏଫ । ଏପରିକି ଯାତ୍ରା କରୁଥିବା ସମୟରେ ବିମାନବନ୍ଦରରେ କିଛି ଯାତ୍ରୀ ଠିକ୍ ଭାବେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଥିବା କହିଛି ଡିଜିସିଏ । ଏହାକୁ ଦୃଷ୍ଟିରେ ରଖି ଏହି ନୂଆ ନିର୍ଦ୍ଦେଶ ଜାରି କରାଯାଇଛି ।

ଏପରିକି ଅଧିକାଂଶ ଯାତ୍ରୀ ମାସ୍କ ପିନ୍ଧିବା ନାଁରେ କେବଳ ନାକ ତଳକୁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । କିନ୍ତୁ ମାସ୍କରେ ପାଟି ଓ ନାକ ଉଭୟ ଘୋଡାଇ ରଖିବା ଉଚିତ । କେବଳ ଚେକିଂ ହେଉଥିବା ସ୍ଥାନରେ ମାସ୍କ ପିନ୍ଧିବା ପରେ ବିମାନ ବନ୍ଦର ଭିତରେ, ଏପରିକି ଯାତ୍ରା କରିବା ବେଳେ ନିୟମ ଉଲ୍ଲଙ୍ଘନ କରି ବିମାନ ଭିତରେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି । କରୋନା ସଂକ୍ରମଣକୁ ଦୂରେଇ ରଖିବା ପାଇଁ ଠିକ୍ ଭାବରେ ମାସ୍କ ପିନ୍ଧିବା ନିହାତୀ ଜରୁରୀ ବୋଲି ଡିଜିସିଏ କହିଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା, ପିପିଇ କିଟ୍, ସାନିଟାଇଜର ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏୟାରପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଡିଜିସିଏ କହିଛି ଯଦି କୌଣସି ଯାତ୍ରୀ କୋଭିଡ ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କୁ ସତର୍କ କରାଯିବ । ଯଦି ବାରମ୍ବାର ସତର୍କ କରାଯିବା ପରେ ବି ଯାତ୍ରୀ ଜଣକ ନିୟମ ନମାନିବେ ତେବେ ତାଙ୍କୁ ବଳପୂର୍ବକ ବିମାନରୁ ଓହ୍ଲାଇ ଦିଆଯିବ ।