ଡିଜି ବଦଳିକୁ ନେଇ ପାୱାର କରିଡରରେ ହଲଚଲ୍ । ଗାଲେରିଆ ମଲ୍ ବନ୍ଦ ହେବା ଏବଂ ବିଜୟ ଶର୍ମାଙ୍କ ବଦଳି ପଛରେ ରହିଛି କି ସମ୍ବନ୍ଧ ?

2,160

କନକ ବ୍ୟୁରୋ : ଗତକାଲି ସନ୍ଧ୍ୟା ପରଠାରୁ ରାଜ୍ୟ ରାଜଧାନୀର ପାୱାର କରିଡ଼ରରେ ହଲଚଲ ଖେଳିଗଲା । ପୁଲିସ୍ ବାହିନୀର ସର୍ବୋଚ୍ଚସ୍ତରରେ ଏତେ ଅଚାନକ୍ ଡିଜି ବଦଳିର ଖବର ଆସିଲା, ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଜଣାପଡ଼ିଲା, ପୁଲିସ୍ ଡିଜି ବିଜୟ କୁମାର ଶର୍ମାଙ୍କୁ ସରକାର ପଦରୁ ହଟାଇ ଦେଇଛନ୍ତି । ତେବେ କାହିଁକି ହଠାତ୍ ଏଭଳି ଘଟଣା ଘଟିଲା । ଦୁଇ ଦିନ ପୂର୍ବରୁ ଏମିତି କିଛି ଆଭାସ ମିଳୁଥିଲା । ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର ଦେବା ନେଇ ଡିଜିଙ୍କ କାର୍ଯ୍ୟାଳୟ ସନ୍ଦେହ ଘେରକୁ ଆସିଗଲା ।

ଏ ହେଉଛି ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଉତ୍କଳ କାନିକା ଗାଲେରିଆ ମଲ୍ । ରାଜଧାନୀ ଛାତି ଉପରେ ନୂଆ କରି ଠିଆ ହୋଇଥିବା ଏହି ମଲ୍, ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯଦିଓ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି, ତେବେ ଆଲୋଚନା ହେଉଛି, ଅପ୍ରତ୍ୟାଶିତ ଭାବେ ରାତାରାତି ପୋଲିସ ଡିଜି ବଦଳିବା କାହାଣୀ ସହ ଯୋଡି ହୋଇ ରହିଛି ଏହି ମଲ୍ ।

କୁହାଯାଉଛି ଏହି ମଲକୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେବା ପାଇଁ ସମସ୍ତ ସର୍ତ୍ତ ପୂରଣ ହୋଇଥିଲା । କିନ୍ତୁ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ମିଳୁନଥିଲା । ଅଭିଯୋଗ ଅନୁସାରେ ଡିଜି ପୋଲିସ ତଥା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କ ନିକଟରେ ଅଟକି ରହିଥିଲା ଫାଇଲ୍ । ଏହି ଘଟଣା ପରେ ଡିଜିଙ୍କ ଅଫିସ ସନ୍ଦେହ ଘେରକୁ ଆସିଥିଲା ବୋଲି ଅଭିଯୋଗ ଉଠିଥିଲା ।

ନଜର ପକାନ୍ତୁ, ଏହି ଅଗ୍ନି ସୁରକ୍ଷା ଯାଂଚ ରିପୋର୍ଟ ଉପରେ । ଏ ହେଉଛି, ଗତ ଅଗଷ୍ଟ ମାସ ୭ ତାରିଖରେ ଅଗ୍ନିଶମ ଅଧିକାରୀ ଦେଇଥିବା ରିପୋର୍ଟ । ଏହି ରିପୋର୍ଟରେ ଥିବା ଆବଶ୍ୟକୀୟ ୪୯ଟି ଶ୍ରେଣୀରେ କୌଣସି ପ୍ରକାର ବିଚ୍ୟୁତି କିମ୍ବା ଅନିୟମିତତା ନଥିବା ଦର୍ଶାଯାଇଥିଲା । ଅଗ୍ନି ସୁରକ୍ଷା ଯାଂଚ ରିପୋର୍ଟରେ ସୁପାରିଶ କରାଯାଇଥିଲା, ମଲର ତଳ ବେସମେଂଟ, ଉପର ବେସମେଂଟ, ତଳ ମହଲା, ତୃତୀୟ ମହଲାକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦିଆଯାଉ । ଏଥିରେ ଷ୍ଟେସନ୍ ଫାୟାର ଅଫିସର, ଆସିଷ୍ଟାଂଟ ଫାୟାର ଅଫିସର ଏବଂ ଭୁବନେଶ୍ୱର ସର୍କଲର ଡେପୁଟି ଫାୟାର ଅଫିସରଙ୍କ ସ୍ୱାକ୍ଷର ରହିଥିଲା ।

କିନ୍ତୁ ତା’ପରେ ବି ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ଦେବା ପାଇଁ ଫାଇଲ୍ ଆଗକୁ ବଢ଼ୁନଥିଲା । ଏଥି ସହ ପୋଲିସ ପକ୍ଷରୁ ମଲକୁ ବି ସିଲ୍ କରି ଦିଆଗଲା । ଏହି ଅଭିଯୋଗ ଉଠିବା ପରେ ୧୯ ତାରିଖରେ ଅଗି୍ନଶମ ଡିଜିଙ୍କ ହାତରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେବା ଅଧିକାର କାଢ଼ି ଦିଆଗଲା ।

ଏକ ନାଟକୀୟ ଘଟଣାକ୍ରମରେ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ଦେବା ଅଧିକାରୀ ଡିଜି ଅଫିସରୁ କାଢ଼ି ନେଲେ । ଏବଂ କ୍ଷେତ୍ରୀୟ ଅଗ୍ନିଶମ ଅଧିକାରୀମାନେ ଏହି ପ୍ରମାଣ ପତ୍ର ଦେଇପାରିବେ ବୋଲି କ୍ଷମତା ଦିଆଗଲା । ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବା ପରେ ରାଜଧାନୀର ପାୱାର କରିଡରରେ ଡିଜିଙ୍କ ଅଫିସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା । ଏବଂ ଠିକ୍ ତା’ପର ଦିନ ଅର୍ଥାତ ୨୦ ତାରିଖରେ ଡିଜିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଆସିଲା ।