୧୧ ଦିନ ପରେ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ଜେରା । ଏସଡ଼ିପିଓ କହିଲେ ସବୁ ଅଭିଯୋଗକୁ ନେଇ କରାଗଲା ପଚରାଉଚରା ।

କ୍ୟାମେରା ଆଗକୁ ଆସିଲେନି ଡିଏଫଓ । କାର୍ଯ୍ୟାଳୟରୁ କଡ଼ା ସୁରକ୍ଷା ଭିତରେ ଘରେ ଛାଡ଼ିଲା ପୋଲିସ ।

179

କନକ ବ୍ୟୁରୋ: କିଛି ଦିନ ହେବ ଚର୍ଚ୍ଚାରେ ଥିବା ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଜି ଅନ୍ୟତମ ଅଭିଯୁକ୍ତ ଡିଏଫଓଙ୍କୁ ଜେରା ହୋଇଛି । ପୋଲିସ ଓ କ୍ରାଇମବ୍ରାଞ୍ଚ ଡିଏଫଓଙ୍କୁ ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ତାଙ୍କ କାର୍ଯ୍ୟାଳୟରେ ଜେରା କରିଛନ୍ତି । ଆଉ ଜେରା ସମୟରେ ସୌମ୍ୟଙ୍କ ପତ୍ନୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ସେ କହିଛନ୍ତି ବୋଲି ସୂଚନା ଦେଇଛି ପୋଲିସ । ଅନ୍ୟପଟେ ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ କାହିଁକି ଓ କେତେ ସମୟ ଅଟକିଥିଲା ସେ ନେଇ ମଧ୍ୟ ଆଜି ଡ୍ରାଇଭରକୁ ପଚରା ଉଚରା କରାଯାଇଛି ।

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସମସ୍ତଙ୍କ ନଜର ଥିଲା ଡିଏଫଓ ସଂଗ୍ରାମ ବେହେରାଙ୍କ ଉପରେ, କାରଣ ଏହି ବ୍ୟକ୍ତିଙ୍କର କଣ ଭୂମିକା ହୋଇପାରେ ତାକୁ ନେଇ ରହସ୍ୟ ଲାଗି ରହିଛି । ଆଉ ଆଜି ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପଚରାଉଚରା ପାଇଁ ପୂରା ପୁଲିସ ସୁରକ୍ଷା ବ୍ୟବସ୍ଥା ଭିତରେ ଅଫିସ ଆସିଥିଲେ ଡିଏଫଓ । ପ୍ରାୟ ସାଢ଼େ ତିନି ଘଣ୍ଟାର କ୍ରାଇମବ୍ରାଞ୍ଚ ଓ ପାରଳା ପୁଲିସର ଜେରା ପରେ ପୁଣି ସୁରକ୍ଷା ବ୍ୟବସ୍ଥା ଭିତରେ ବାସଭବନକୁ ଫେରିଥିଲେ ଡିଏଫଓ ।

ପୁଲିସ କହିଛି ତାଙ୍କୁ ନେଇ ଯେତେ ପ୍ରଶ୍ନ ଉଠିଥିଲା, ସେସବୁ ପଚରାଯାଇଛି । କିନ୍ତୁ କଣ ପ୍ରଶ୍ନ ଥିଲା , ଆଉ କଣ ତାଙ୍କର ଉତ୍ତର ଥିଲା ସେ ବିଷୟରେ ସ୍ପଷ୍ଟ କରାଯାଇନି । ସେପଟେ ହସ୍ପିଟାଲ ନେବା ବାଟରେ ସୌମ୍ୟଙ୍କ ଆମ୍ବୁଲାନ୍ସ କାହିଁକି ଓ କେତେ ସମୟ ଅଟକି ଥିଲା ସେନେଇ ଆମ୍ବୁଲାନ୍ସ ଡ୍ରାଇଭରକୁ ପଚରାଉଚରା କରିଛି ପୁଲିସ ଆଉ ସେ କହିଛନ୍ତି ରାସ୍ତାରେ ୧୫ ମିନିଟ୍ ଅଟକିଥିଲା ଆମ୍ବୁଲାନ୍ସ ।

ଏସବୁ ଭିତରେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଏକ ହାତଲେଖା ଚିଠି ମଧ୍ୟ ସାମ୍ନାକୁ ଆସିଛି । ଗତ ଫେବୃଆରୀ ୨୨ ଓ ୨୩ ତାରିଖର ଦୁଇଟି ଚିଠି ପତ୍ନୀ ବିଦ୍ୟାଭାରତୀଙ୍କ ଉଦ୍ଦେଶ୍ୟରେ ସୌମ୍ୟ ଲେଖିଥିଲେ । ଚିଠିରେ ସୌମ୍ୟ ଲେଖିଛନ୍ତି, ଜଣେ ପତ୍ନୀ ଓ ଭଲ ବନ୍ଧୁ ହିସାବରେ ସେ ତାଙ୍କଠାରୁ ଭଲ ବ୍ୟବହାର ଚାହୁଁଛନ୍ତି । ପତ୍ନୀଙ୍କ ଶିକ୍ଷାଗତ ଯୋଗ୍ୟତା ତାଙ୍କ ପାଇଁ ଗୁରୁତ୍ୱ ରଖେ ନାହିଁ । ଏହାପରେ ଯଦି ବି କିଛି ଘଟେ ସେ ଦିଗରେ ତାଙ୍କର କିଛି ଭୂମିକା ରହିବ ନାହିଁ । ଘରୋଇ ହିଂସା ବିରୋଧରେ ପତ୍ନୀ ଚାହିଁଲେ ଆଇନର ଆଶ୍ରୟ ନେଇପାରିବେ ।