ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲା: ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ କଲା କ୍ରାଇମବ୍ରାଂଚ

823

କନକ ବ୍ୟୁରୋ: ଏସିଏଫ ସୈାମ୍ୟରଞ୍ଜନ ମୃତ୍ୟୁର କାରଣ ଖୋଜୁଥିବା କ୍ରାଇମବ୍ରାଂଚ. ପାରଳାଖେମୁଣ୍ଡି ଡିଏଫଓଙ୍କର କରାଇଛି ଲାଇ ଡିଟେକ୍ସନ ଟେଷ୍ଟ । ପାଖାପାଖି ୩ ଘଂଟା ଧରି ଚାଲିଥିବା ଏହି ମିଛ ଧରା ପରୀକ୍ଷାରେ ପାଖାପାଖି ୧୦୦ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି । ଖାଲି ଡିଏଫଓ ନୁହଁନ୍ତି, ରୋଷେୟା ମଧ୍ୟ ଏହି ଟେଷ୍ଟର ସାମ୍ନା କରିଥିଲେ ।

କିଛି ଏଭଳି ଢଙ୍ଗରେ ଡିଏଫଓଙ୍କ ନିକଟରୁ ସତ ଜାଣିବାକୁ ଚାହିଥିବ କ୍ରାଇମବ୍ରାଂଚ । ସୂଚନା ଅନୁସାରେ, ସୈାମ୍ୟ ମୃତ୍ୟୁ ମାମଲାରେ ଯେତେବେଳେ ଡିଏଫଓ ସନ୍ଦେହ ପରିସରକୁ ଆସିଲେ ସେତେବେଳେ ସିଆରପିସି ଧାରା ୧୬୧ରେ ବୟାନ ରେକର୍ଡ କରାଯାଇଥିଲା । ଆଉ ସେତେବେଳେ ଡିଏଫଓ ସତ କହିଥିଲେ କି ମିଛ, ତାକୁ ଜାଣିବା ପାଇଁ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିବା କୁହାଯାଉଛି ।

ଏସିଏଫ ସୈାମ୍ୟରଂଜନ ନିଜ ଘରେ ଥିବା ସମୟରେ ରହସ୍ୟମୟ ଭାବେ ପୋଡିଯାଇଥିଲେ । ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳା ଆଉ ପରେ ଏସସିବିକି ସ୍ଥାନାନ୍ତର କରିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପୁରା ମାମଲାରେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଭୂମିକା ନେଇ ଉଠିଥିଲା ଅନେକ ପ୍ରଶ୍ନ ।

ସୁଚନା ଅନୁସାରେ ଡିଏଫଓଙ୍କୁ ଉଭୟ ସୈାମ୍ୟ ଓ ବିଦ୍ୟାଭାରତୀଙ୍କୁ ନେଇ କିଛି ପ୍ରଶ୍ନ ବି କରାଯାଇଥିଲା
– ସୈାମ୍ୟରଂଜନଙ୍କ ସହ ତାଙ୍କ ସଂପର୍କ କିଭଳି ଥିଲା?
– ଘଟଣାଦିନ ସେ କେଉଁଠି ଥିଲେ, ଆଉ କେତେବେଳେ ଅଘଟଣ ନେଇ ଜାଣିଲେ?
– ସୈାମ୍ୟଙ୍କ ସହ କିଛି ମତାନ୍ତର ଥିଲା କି?
– ଗୁରୁତର ସୈାମ୍ୟଙ୍କୁ ସ୍ଥାନାନ୍ତରଣ ବେଳେ ତାଙ୍କ ଭୂମିକା କଣ ଥିଲା?
– ବିଦ୍ୟାଭାରତୀଙ୍କ ସହ ତାଙ୍କର ସଂପର୍କ କଣ?
– ପୂର୍ବରୁ ବିଦ୍ୟାଭାରତୀଙ୍କ ସହ ଯୋଗାଯୋଗରେ ଥିଲେ କି?

ଯଦିଓ କ୍ରାଇମବ୍ରାଂଚ ପକ୍ଷରୁ ଏନେଇ ମୁହଁ ଖୋଲାଯାଇନାହିଁ, ତଥାପି ମାମଲାକୁ ନେଇ ବଢୁଥିବା ଅସନ୍ତୋଷ ତଦନ୍ତକାରୀ ଟିମ ଉପରେ ଚାପ ସୃଷ୍ଟି କରୁଥିବା କୁହାଯାଉଛି । ମାମଲାର ନିଷ୍କର୍ସରେ ପହଁଚିବା ବିଳମ୍ବ ହେବା ଅନେକ ଥିଓରୀକୁ ବି ସାମ୍ନାକୁ ଆଣୁଛି ।

ଖାଲି ଡିଏଫଓ ନୁହଁନ୍ତି, ସୈାମ୍ୟଙ୍କ ସରକାରୀ କ୍ୱାର୍ଟରରେ କାମ କରୁଥିବା ରୋଷେୟାଙ୍କର ମଧ୍ୟ ହୋଇଛି ଲାଇ ଡିଟେକ୍ସନ ଟେଷ୍ଟ । ସେ ଦେଇଥିବା ବୟାନ ସତ କି ମିଛ ତାକୁ ଜାଣିବା ପାଇଁ ହୋଇଛି ଉଦ୍ୟମ । ପ୍ରଥମେ ପାରଳା ପୁଲିସ ମାମଲାର ତଦନ୍ତ କରି ଡିଏଫଓଙ୍କୁ କ୍ଲିନଚିଟ୍ ଦେଇଥିଲା । ହେଲେ ପରେ ଜନ ଅସନ୍ତୋଷ ଆଉ ମାମଲାକୁ ନେଇ ଅନେକ ସନ୍ଦେହ ପ୍ରକଟ ହେବାକୁ କ୍ରାଇମବ୍ରାଂଚ ଏହାର ତଦନ୍ତ କରୁଛି ।