ମହାଦେବଙ୍କୁ ପ୍ରସନ୍ନ କରିବାକୁ ଭକ୍ତଙ୍କ ନିଆରା ଉଦ୍ୟମ । ଧାରୁଆ ଖଣ୍ଡା ଉପରେ ଚାଲିଲେ, ଜିଭରେ ଲୁହା କଣ୍ଟା ଫୋଡିଲେ ।

126

କନକ ବ୍ୟୁରୋ: ମହାଦେବଙ୍କୁ ପ୍ରସନ୍ନ କରିବା ଲାଗି ଭକ୍ତଙ୍କ ନିଆରା ଉଦ୍ୟମ । କିଏ ଧାରୁଆ ଖଣ୍ଡା ଉପରେ ବୁହା ହେଲେ, ତ ଆଉ କିଏ ଜିଭରେ ଲୁହା କଂଟା ଫୋଡିଲେ । ଖାଲି ସେତିକି ନୁହେଁ ଅନେକ ସ୍ଥାନରେ ଲୁହା କଂଟାରେ ଝୁଲିଲେ ଛୋଟ ଛୋଟ ପିଲା । ଆଉ ଅନେକ ଭକ୍ତ ଉଚ୍ଚ ସ୍ଥାନରୁ ଲମ୍ଫ ମାରି ଶିବଙ୍କ ଆରାଧନା କରୁଥିବା ଦେଖିବାକୁ ମିଳିଛି । ଚଡକ ପୂଜା ନାଁରେ ପ୍ରତି ବର୍ଷ ମାଲକାନଗିରି ଜିଲ୍ଲାର ଗାଁ ଗାଁରେ ଏପରି ଦୁଃଶାହସିକ ଖେଳର ଆୟୋଜନ ହୋଇଥାଏ । ତେବେ ବିଜ୍ଞାନ ଯୁଗରେ ଦେବାଦେବୀଙ୍କୁ ପ୍ରସନ୍ନ କରିବା ଲାଗି ଏପରି ଆୟୋଜନ କେତେ ଯଥାର୍ଥ ରହିଛି ତାକୁ ନେଇ ଉଠିଛି ପ୍ରଶ୍ନ ।

ଠାକୁରଙ୍କୁ ପ୍ରସନ୍ନ କରିବା ଲାଗି ଭକ୍ତଙ୍କ ରକ୍ତାକ୍ତ ଖେଳ । ଖଣ୍ଡା ଉପରେ ଗୋଟିଏ କୁନି ପିଲା ଛିଡା ହୋଇଥିବା ଦେଖିବାକୁ ମିଳିଥିବାବେଳେ । ଆଉ ଜଣେ ଯୁବକ ନିଜ ଜିଭକୁ ଲୁହା କଂଟାରେ ଫୋଡି ଗାଁରେ ପ୍ରଦର୍ଶନ କରୁଛନ୍ତି । ମାଲକାନଗିରି ଜିଲ୍ଲା ଏମ୍ପିଭି ୧୦ ଗାଁରୁ ଆସିଛି ଏଭଳି କିଛି ଖବର । ଦୋରିଗୁଡା ୧ ନମ୍ବର ଗାଁରେ ଜମିଛି ଚଡକ ପୂଜାର ଆସର । କୁନି ପିଲାଙ୍କୁ ଲୁହା କଂଟାରେ ବାନ୍ଧି ବୁଲାଉଛନ୍ତି ପୂଜକ । ପୂଜକ ଓ ମାନସିକଧାରୀମାନେ ଉଚ୍ଚ ସ୍ଥାନରୁ ଲମ୍ଫ ମାରିବାର ଦୃଶ୍ୟକୁ ଦେଖିଲେ ଯେ କେହି ବି ଭୟଭୀତ ହେବେ । ଅନେକ ସ୍ଥାନରେ ପୂଜକ ଓ ମାନସିକଧାରୀମାନେ କଂଟାଳିଆ ଖଜୁରି ଗଛ ଉପରେ ଚଢି, ଶିବ ଭକ୍ତିର ପରିଚୟ ଦେଉଛନ୍ତି । ଆଉ ଏହା ଦ୍ୱାରା ଗାଁର ମଙ୍ଗଳ ହେବା ସହ ଭକ୍ତଙ୍କ ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି ।

ଚୈତ୍ର ମାସ ଆରମ୍ଭରୁ ଗାଁ ଗାଁରେ ପୂଜକମାନେ ବୁଲି ବୁଲି ପୂଜାର୍ଚନା କରନ୍ତି । ମାସ ଶେଷ ବେଳକୁ ଜମେ ଚଡକ ପୂଜାର ଆସର । ବିଶେଷ କରି ମାଲକାନଗିରି ଜିଲ୍ଲାର ଦୋରିଗୁଡା ୧ ନଂ, ଏମ.ପି.ଭି ୧୦, ଏମପିଭି ୨୯, ଏମପିଭି ୩୬ ଓ ଏମଭି ୭୨ ଗାଁରେ ବଡ ଧରଣର ଆୟୋଜନ କରାଯାଏ । ତେବେ ବର୍ତମାନର ବିଜ୍ଞାନ ଯୁଗରେ ଭଗବାନକୁ ପ୍ରସନ୍ନ କରିବା ଲାଗି ଏପରି ଦୁଃସାହସିକ ଖେଳକୁ ବାରଣ କରାଯାଇ ଥିଲେ ହେଁ ଏହାକୁ ପାଳନ କରିଥାନ୍ତି ମାନସିକଧାରୀ । ଗତ ବର୍ଷ କୋରନା ଯୋଗୁ ଚଡକ ପୂଜାର ଆୟୋଜନ ହୋଇ ପାରିନଥିଲା । ତେବେ ଚଳିତ ବର୍ଷ କୋରୋନା କଟକଣା ସତ୍ୱେ ଗାଁ ଗାଁରେ ହଜାର ହଜର ଭକ୍ତଙ୍କ ସମାଗମରେ ଏହି ପର୍ବ ପାଳନ କରାଯାଇଛି ।