କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଗତକାଲି ଚାଚେରି ବେଶ ଓ ବେଣ୍ଟ ବିନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି। ତେବେ ମହାପ୍ରଭୁଙ୍କ ବେଣ୍ଟବିନ୍ଧା ନୀତିରେ ଗତକାଲି ଅହେତୁକ ବିଳମ୍ବ ହୋଇଛି। ପ୍ରଶାସନର ଅପରିଣାମଦର୍ଶିତା ପାଇଁ ମହାପ୍ରଭୁଙ୍କୁ ବେଣ୍ଟ ଶିକାର ପାଇଁ ଯିବା ସମୟରେ ସିଂହଦ୍ୱାରରେ ଅଧଘଣ୍ଟା ଅଟକିବାକୁ ପଡ଼ିଛି। ଏହା ପରମ୍ପରାକୁ ଭଙ୍ଗ କରିଥିବା ବେଳେ ସେବାୟତମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଚେରି ବେଶ ପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳ ଗୋବିନ୍ଦ ବିମାନରେ ବିଜେ ହୋଇ ବେଣ୍ଟ ଶିକାର ପାଇଁ ଜଗନ୍ନାଥ ବଲ୍ଲଭ ଯାଆନ୍ତି। ଶ୍ରୀମନ୍ଦିରରୁ ବାହାରିବା ସମୟରେ ବିନା ପ୍ରତିବନ୍ଧକରେ ଯାତ୍ରା କରନ୍ତି। କିନ୍ତୁ ଶ୍ରୀମନ୍ଦିର ସମ୍ମୁଖରେ ଥିବା ବ୍ୟାରିକେଡ୍ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଗତକାଲି ଠାକୁର ଠାକୁରାଣୀ ବିମାନରେ ଆସିବା ସମୟରେ ବ୍ୟାରିକେଡ୍ ଯୋଗୁଁ ଯାଇ ପାରିନଥିଲେ। ବ୍ୟାରିକେଡ୍ ହଟାଇବାକୁ କୁହା ଯାଇଥିଲେ ବି ଜଣେ ଦୁଇଜଣ ପୁଲିସ ଥିବାରୁ ଏଥିରେ ଅହେତୁକ ବିଳମ୍ବ ହୋଇଥିଲା।ଶେଷରେ ଦେଉଳ କମାଣ୍ଡର୍ ପହଞ୍ଚି ବ୍ୟାରିକେଡ୍ କାଢ଼ିବା ପରେ ଠାକୁର ଠାକୁରାଣୀ ବେଣ୍ଟ ଶିକାର ପାଇଁ ଯାଇଥିଲେ।
ଅନ୍ୟପଟେ ଗତକାଲି ଠାକୁର ଠାକୁରାଣୀ ମନ୍ଦିରରୁ ବାହାରିବା ବି ଅହେତୁକ ବିଳମ୍ବ ହୋଇଛି। ପଦ୍ମବେଶ ଦର୍ଶନ ସମୟ ପ୍ରାୟ ୨ ଘଣ୍ଟା ବଢ଼ିବାରୁ ଠାକୁର ଠାକୁରାଣୀ ମନ୍ଦିରରୁ ବାହାରିବା ବିଳମ୍ବ ହୋଇଛି ବୋଲି ଦେଉଳ କମାଣ୍ଡର୍ କହିଛନ୍ତି।