କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଶ୍ରୀମନ୍ଦିର ରୋଷଘରେ ମହାପ୍ରସାଦ ପ୍ରସ୍ତୁତିରେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି । କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ପୂର୍ବଭଳି ମହାପ୍ରସାଦ ରନ୍ଧା କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଏଥିପାଇଁ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି । ଭିଡ଼ ନିୟନ୍ତ୍ରଣ ପାଇଁ ଧାଡ଼ିରେ ଭକ୍ତଙ୍କୁ ମହାପ୍ରସାଦ ଦେବା ବ୍ୟବସ୍ଥା କରାଯାଉଛି । ସେପଟେ ଯେଉଁ ଭକ୍ତ ତଥା ହବିଷ୍ୟାଳିମାନେ ଶ୍ରୀମନ୍ଦିର ଆସି ପାରୁନାହାନ୍ତି, ସେମାନଙ୍କ ପାଇଁ ସ୍ବତନ୍ତ୍ର ନମ୍ବର ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନମ୍ବରରେ ଫୋନ୍ କରି ଭକ୍ତ ତଥା ହବିଷ୍ୟାଳୀମାନେ ମହାପ୍ରସାଦ ବରାଦ ଦେଇପାରିବେ ।
ଦାବି ମୁତାବକ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଆଜିଠାରୁ ଦୁଇ ଦ୍ବାରରେ ସେଡ୍ ବ୍ୟବସ୍ଥା କରୁଛନ୍ତି । ଦୁଇ ଦ୍ୱାରରେ ହେଉଥିବା ସେଡ୍ର ଲମ୍ବ ୫୦ ଫୁଟ ଓ ଓସାର ୫୦ ଫୁଟ ରହିବ। ପ୍ରତି ସେଡ଼ରେ ୫ଟି ଧାଡ଼ି ରହିବ। ଭକ୍ତମାନେ ଧାଡ଼ିରେ ରହି ପରିମାଣ ଅନୁଯାୟୀ ଟୋକନ କାଟି ଓ ଟଙ୍କା ଦେଇ ମହାପ୍ରସାଦ ନେଇ ପାରିବେ। ନିଯୋଗ ତରଫରୁ ନିଯୁକ୍ତ ବୋଝିଆ ଆନନ୍ଦ ବଜାରରୁ ବରାଦ ମୁତାବକ ମହାପ୍ରସାଦ ଆଣିଦେବେ। ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଏଥିପାଇଁ ୩ଜଣ ଲେଖାଏଁ ବୋଝିଆ ରହିବେ। ସେହିଭଳି ବରାଦ ପାଇଁ ନିଯୋଗ ଦୁଇଟି ନମ୍ବର ଜାରି ହେବ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ସେଡ୍ ପାଇଁ ମାର୍ଗ ପ୍ରଶସ୍ତ କରିବା ସହ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛି। ଉତ୍ତରପାର୍ଶ୍ବ ମଠ ଜାଗାରେ ପଡ଼ିଥିବା ମାଟିକୁ ସମତୁଲ କରାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆସନ୍ତା ଦିନେ ଦୁଇଦିନ ଭିତରେ ଏହି ସେଡ୍ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।