କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । କୋଭିଡ୍ ଯୋଗୁଁ ଦୁଇବର୍ଷ ହେଲା ଭକ୍ତ ଏହି ଦୁଲ୍ଲର୍ଭ ଦର୍ଶନରୁ ବଞ୍ଚିତ ରହିଥିଲେ । ହେଲେ ଚଳିତ ବର୍ଷ ଠାକୁରଙ୍କ ନବଯୌବନ ଦର୍ଶନ କରିବେ ଭକ୍ତ । ଅଣସର ଘରେ ନାନାଦି ନୀତି ପରେ ଜ୍ୱରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ଏଥିପାଇଁ ୧୫ ଦିନର ଅଣସର ଶେଷ କରି ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ ।
ଅନ୍ୟପଟେ ନବଯୌବନ ବେଶ ଦର୍ଶନ କରିବାକୁ ଅଧିକ ଭକ୍ତଙ୍କ ଭିଡ଼ ସମ୍ଭାବନା ଥିବାରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ୮ଟାରେ ତାଟି ଫିଟିବା ପରେ ୧ ଘଣ୍ଟା ରହିବ ପାରମାଣିକ ଦର୍ଶନ । ସକାଳ ୯ଟାରୁ ରାତି ସାଢେ ୧୨ଟା ଯାଏଁ ସର୍ବସାଧାରଣ ଦର୍ଶନ ହେବ । ନୀତିକାନ୍ତି ଯୋଗୁଁ ମଝିରେ ମଝିରେ ଦର୍ଶନ ବନ୍ଦ ରହିବ । ତେଣୁ ମାତ୍ର ସାଢ଼େ ୬ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଗୁରବାରଦିନ ଉଭାଯାତ୍ରା ଥିବାରୁ ସକାଳ ୪ଟାରୁ ସନ୍ଧ୍ୟା ୫ଟା ଯାଏଁ ରହିବ ସର୍ବସାଧାରଣ ଦର୍ଶନ ।
ନବଯୌବନ ଦର୍ଶନ କ’ଣ ?
- ଅନବସର ଶେଷରେ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ
- ଆଷାଢ଼ ମାସ ଅମାବାସ୍ୟା କିମ୍ବା ଶୁକ୍ଳପକ୍ଷ ପ୍ରତିପଦ ତିଥିରେ ହୋଇଥାଏ ନବଯୌବନ ଦର୍ଶନ
- ସ୍ନାନ ପୂର୍ଣ୍ଣିମାରେ ସ୍ନାନ ପରେ ଠାକୁରମାନେ ୧୫ ଦିନ ଧରି ଅସୁସ୍ଥ ହୁଅନ୍ତି
- ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଜ୍ୱର ମଧ୍ୟ ହୁଏ
- ୧୫ଦିନ ମହାପ୍ରଭୁ ଅଣସର ଘରେ ଗୁପ୍ତ ପୂଜାରେ ରହିଥାନ୍ତି
- ଶ୍ରୀମନ୍ଦିରର ବୈଦ୍ୟ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ପାଚକ ମହାପ୍ରଭୁଙ୍କୁ ଲାଗି କରାଯାଏ
- ଗୁପ୍ତ ନୀତି ପରେ ଜ୍ୱରରୁ ସୁସ୍ଥ ହୋଇଥାନ୍ତି ମହାପ୍ରଭୁ
- ୧୫ ଦିନର ଅନବସର ପରେ ନବଯୌବନ ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ମିଳିଥାଏ
- ଅଣସର ପିଣ୍ଡିରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତୁ ମହାପ୍ରଭୁ
- ଠାକୁରଙ୍କ ନବଯୌବନ ବେଶ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ
- ଏହି ପବିତ୍ର ଉତ୍ସବର ଅନେକ ବିଧି ରହିଛି
- ଏହି ଦିନ ଠାକୁରମାନଙ୍କର ଅନେକ ବିଶେଷ ନୀତି ହୋଇଥାଏ
୫ ଘଣ୍ଟା ଦର୍ଶନ
ସଂଧ୍ୟା ୫ରୁ ଦର୍ଶନ ବନ୍ଦ
- ରଥଯାତ୍ରା ପୂର୍ବଦିନ ଉଭାଯାତ୍ରାରେ ଭକ୍ତଙ୍କ ଦର୍ଶନ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତି ହୋଇଥିଲା
- ଦଇତାପତି ଓ ସେବାୟତଙ୍କ ଚାପ ପରେ ଦର୍ଶନ ବନ୍ଦ ନିଷ୍ପତିରୁ ଓହରିଛି ଶ୍ରୀମନ୍ଦିର ପ୍ରଶାସନ
- ପୂର୍ବଭଳି ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯେ୍ଧଜ୍ଞ ଦେବାକୁ ନିଷ୍ପତି ହୋଇଛି
- ଉଭାଯାତ୍ରା ଦିନ ସକାଳ ୪ରୁ ସାଢେ ୬, ସାଢେ ୧୨ରୁ ସାଢେ ଗୋଟାଏ ଓ ସାଢେ୩ରୁ ୫ଟା ଯାଏଁ ଦର୍ଶନ
- ପ୍ରଶାସନ ନିର୍ଦ୍ଧାରଣ କରିଥିବା ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ
- ରଥଯାତ୍ରା ଦିନ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ପହଣ୍ଡି ସାରିବା ପାଇଁ ଉଭାଯାତ୍ରାରେ ସଂଧ୍ୟା ୫ଟା ପରେ ଦର୍ଶନ ବନ୍ଦ ରହିବ
- ଏହିଦିନ ୩ରଥ ସିଂହଦଦ୍ୱାର ଚକଡାକୁ ବିଜେ କରିବେ ଏବଂ ରଥଯାତ୍ରା ପୂର୍ବରୁ ରଥକୁ ଉତର ମୋଡ ଦିଆଯିବ