କନକ ବ୍ୟୁରୋ : ଦୀର୍ଘ ୨୧ ଦିନ ପରେ ଖୋଲିଛି ଶ୍ରୀମନ୍ଦିର । ଗତକାଲି ଠାରୁ ପୁଣି ଆରମ୍ଭ ହୋଇଛି କାଳିଆ ଦର୍ଶନ । ପ୍ରଥମ ଦିନରେ ପାଖାପାଖି ୨୦ ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କୋଭିଡ଼ କଟକଣା ଭିତରେ ଦର୍ଶନ ଆରମ୍ଭ ହୋଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜାନୁଆରୀ ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା ।
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା । ସଂକ୍ରମଣ ହାର କମିବା ପରେ ନୂଆ ଏସ୍ଓପି ଅନୁଯାୟୀ ଶ୍ରୀମନ୍ଦିର ଦର୍ଶନ ଆରମ୍ଭ ହୋଇଛି । ନୂଆ ଏସ୍ଓପି ଅନୁଯାୟୀ, ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତଙ୍କ ପାଇଁ ପରିଚୟପତ୍ର ସହ ୯୬ ଘଣ୍ଟା ଭିତରର କୋଭିଡ୍ ନେଗେଟିଭ୍ ରିପୋର୍ଟ ଅବା କୋଭିଡ୍ ଟିକାର ଡବଲ୍ ଡୋଜ୍ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପରିଧାନ, ସାନିଟାଇଜ୍ ବ୍ୟବସ୍ଥା ବି ଲାଗୁ ହୋଇଛି ।
ଏହି ନିୟମ ଆଧାରରେ ଆଜି ସିଂହଦ୍ବାର ସମ୍ମୁଖ କିଓସ୍କ କେନ୍ଦ୍ରରେ ଭକ୍ତମାନେ ନିଜର ପରିଚୟପତ୍ର ଓ କୋଭିଡ୍ ପ୍ରମାଣପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆନନ୍ଦବଜାରରେ ମହାପ୍ରସାଦ ସେବନ ସହ ମହାପ୍ରସାଦ ନେଇ ଘରକୁ ଫେରିଛନ୍ତି । ସିଂହଦ୍ବାରରେ ପ୍ରବେଶ ପରେ ଦର୍ଶନ ସାରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି । ପୁରୀ ସହରବାସୀ ପଶ୍ଚିମଦ୍ବାର ଦେଇ ପ୍ରବେଶ ପରେ ମହାପ୍ରଭୁଙ୍କ ଦର୍ଶନ କରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଛନ୍ତି ।