ଶିବ ପଂଚାକ୍ଷରରେ କମ୍ପୁଛି ସବୁ ଶୈବପୀଠ ! କପିଳାସ ପୀଠରେ ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ ଲାଗି ଜମୁଛି ଭକ୍ତଙ୍କ ଭିଡ

88

କନକ ବ୍ୟୁରୋ : ଆଜି ପବିତ୍ର ଶିବ ଚତୁର୍ଦଶୀ ଜାଗର ତଥା ମହାଶିବରାତ୍ରି । ଜାଗରରେ ଉପବାସ ପାଳୁଥିବା ଶ୍ରଦ୍ଧାଳୁମାନେ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଦର୍ଶନ ପାଇଁ କପିଳାସ ପୀଠରେ ପହଁଚିଛନ୍ତି । ୧୩ଶହ ୫୨ ପାହାଚ ଚଢି ଭୋଳାବାବାଙ୍କ ଦର୍ଶନ କଲେ ଅଶେଷ ପୂଣ୍ୟଲାଭ ହୋଇଥାଏ । ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ପାହାଚ ରାସ୍ତା ଦେଇ ମନ୍ଦିର ବେଢାକୁ ଯାଉଥିବେ ବେଳେ ଅନେକ ଶ୍ରଦ୍ଧାଳୁ ବାରବାଙ୍କ ରାସ୍ତା ଦେଇ ମନ୍ଦିରକୁ ଆସୁଛନ୍ତି । ଭୋର ୪ଟା ସମୟରେ ପ୍ରଭୁଙ୍କ ମଗଂଳ ଆଳତୀ ସମ୍ପନ୍ନ ହେବା ପରେ ଶ୍ରୀ ଚନ୍ଦ୍ରଶେଖରଜୀଉଂକ ସାହାଣ ମେଲା ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ସିଂହଦ୍ୱାର ଠାରେ ଭିଡକୁ ନିୟନ୍ତ୍ରଣ କରିବା ଲାଗି ସ୍ୱତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ମଧ୍ୟ ଦଉଡିର ବ୍ୟାରିକେଡ ଦେଇ ଗୋଟିଏ ପଟେ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ଭିଡ ନିୟନ୍ତ୍ରଣ କରିବାକୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି । ଦିନ ବଢିବା ସହ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧିରେ ଧିରେ ବଢୁଛି । ଆଜି ମହାଦୀପ ଉଠିବା ସମୟରେ କପିଳାସରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି ।

ସେହିଭଳି ପ୍ରସିଦ୍ଧ ଶୈବପୀଠ ଆରଡିର ଆଖଣ୍ଡଳମଣୀ ପୀଠରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି । ବାବା ଆଖଣ୍ଡଳମଣୀ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସମ୍ବଲପୁରରେ ମଧ୍ୟ ଜାଗରକୁ ନେଇ ଉତ୍ସାହ ଦେଖାଦେଇଛନ୍ତି । ଶିବାଳୟରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । କୋରାପୁଟ ଗୁପ୍ତେଶ୍ୱର ମନ୍ଦିରରେ ମଧ୍ୟ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ସମାମଗମ ଦେଖିବାକୁ ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-