ପ୍ରୟାଗରାଜରେ ପୌଷ ପୂର୍ଣ୍ଣିମା । ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ।

90

କନକ ବ୍ୟୁରୋ: ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ସଙ୍ଗମସ୍ଥଳରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ସଙ୍ଗମ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାର୍ଷିକ ମାଘ ମେଳା ଆରମ୍ଭ ହୋଇଛି । ଆଜି ସଙ୍ଗମରେ ୪୦ ଲକ୍ଷରୁ ଅଧିକ ଯାତ୍ରୀ ବୁଡ଼ ପକାଇବେ ବୋଲି ଅନୁମାନ କରାଯାଉଛି । ଚନ୍ଦ୍ରଗ୍ରହଣ ପଡୁଥିବାରୁ ବୁଡ଼ପକାଳିଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି । ସବୁଠାରୁ ବଡ଼ କଥା ହେଲା, ମାଘ ମେଳା ଦିନ ‘କଳ୍ପବାସ’ ମଧ୍ୟ ଆରମ୍ଭ ହୁଏ । ଏଥିରେ ଭକ୍ତମାନେ ଏକ ମାସ ଯାଏଁ ପାଳି କରି ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କରିବା ସହ ଉପବାସ ଓ ପୂଜାର୍ଚ୍ଚନା କରିଥାନ୍ତି ।

ସେପଟେ ସଙ୍ଗମ ସ୍ଥଳ ମେଳା ନଗରୀରେ ୩, ୫୦୦ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପ୍ରବଳ ଶୀତ ପଡ଼ିଥିବାରୁ କାଳେ କେହି ଅସୁସ୍ଥ ହୋଇ ପଡ଼ିବେ, ସେଥିପାଇଁ ସଙ୍ଗମ ଚାରିପଟେ ଏବଂ ମେଳା ନଗରୀର ଅନ୍ୟାନ୍ୟ ଅଞ୍ଚଳରେ ଆମ୍ବୁଲାନସ୍‌ ପ୍ରସ୍ତୁତ କରି ରଖାଯାଇଛି ।

ଏହାଛଡ଼ା ମେଳା ନଗରୀରେ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଖୋଲାଯାଇଛି । ପରିମଳ, ଘାଟ, ନିରାପତ୍ତା, ଅଗ୍ନିଶମ ସେବା, ରେସନ୍‌ ବଣ୍ଟନ, ହୃତସମ୍ପଦ ଶିବିର, ପାନୀୟ ଜଳ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ସେଠାରେ କରାଯାଇଛି । ତେବେ ପ୍ରୟାଗରାଜରେ ବୁଡ଼ ପକାଇବା ପାଇଁ ସଙ୍ଗମସ୍ଥଳରେ ଦେଶବିଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ଧିରେ ଧିରେ ବଢ଼ିବାରେ ଲାଗିଛି ।