ଛଟ ପର୍ବକୁ ନେଇ ଉତ୍ସାହର ମାହୋଲ । ବିହାର ସମେତ ଉତର ଭାରତରେ ଉତ୍ସବ, ଦିଲ୍ଲୀରେ ପ୍ରଦୂଷିତ ଯମୁନାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

58

କନକ ବ୍ୟୁରୋ : ଛଟପୂଜାକୁ ନେଇ ଚାରିଆଡେ ଦେଖିବାକୁ ମିଳିଛି ଉତ୍ସାହ । ପରିବାରର ଶୁଭ ମନାସି, ସୁଖ ଶାନ୍ତି କାମନା ତଥା ସମାଜର ମଙ୍ଗଳ ପାଇଁ ପାଳନ କରାଯାଏ ଛଟ ପର୍ବ । ବିଶେଷ କରି ବିହାରରେ ଛଟପୂଜାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ୪ଦିନ ଧରି ଚାଲିଥିବା ଛଟପୂଜାର ଶେଷ ଦିନରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି ପୂଜା ସମାପନ କରାଯାଇଛି । ଘରେ ଘରେ ଭଳିକି ଭଳି ପିଠାପଣାର ମହକ ସାଙ୍ଗକୁ ନୂଆ ବସ୍ତ୍ର ପରିଧାନ କରି ଉତ୍ସବ ପାଳିଛନ୍ତି ବ୍ରତଧାରୀ । ରାଜଧାନୀ ଦିଲ୍ଲୀରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟର ଲୋକମାନେ ପ୍ରଦୂଷିତ ଯମୁନା ନଦୀରେ ବୁଡ ପକାଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

ପବିତ୍ର ଛଟ ପୂଜାରେ ଘରେ ଘରେ ଉତ୍ସବର ମାହୋଲ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କ ଏବଂ ସେଲିବ୍ରିଟି ମାନେ ମଧ୍ୟ ଛଟ ପୂଜାରେ ନିଜକୁ ସାମିଲ କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ସରକାରୀ ବାସ ଭବନରେ ଛଟ ପୂଜାରେ ସାମିଲ ହୋଇଛନ୍ତି । ପରିବାର ବର୍ଗଙ୍କ ସହ ମିଶି ସୂର୍ଯ୍ୟଦେବତାଙ୍କୁ ଆରାଧନା କରିବା ସହ ରାଜ୍ୟ ତଥା ଦେଶବାସୀଙ୍କ ମଙ୍ଗଳ କାମନା କରିଛନ୍ତି ।

ବିହାରରେ ଛଟପୂଜାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ତେବେ ବର୍ତମାନ ଉତର ଭାରତର ଅଧିକାଂଶ ରାଜ୍ୟ ସମେତ ଓଡିଶା, ଛତିଶଗଡ଼ରେ ରହୁଥିବା ବିହାରୀ ସମ୍ପ୍ରଦାୟର ଲୋକ ମାନେ ମଧ୍ୟ ଛଟ ପୂଜାକୁ ବେଶ ଉତ୍ସାହର ସହ ପାଳନ କରୁଛନ୍ତି ।